ପୁରୀରେ ଦିନଦିପହରେ ସୁନା ଚେନ୍ ଛିନତାଇ, ପଳାଇବା ବେଳେ ପିପିଲି ପୋଲିସ ଜାଲରେ ପଡ଼ିଲେ ଦୁଇ ଲୁଟେରା

ପୁରୀ: ପୁରୀ ସହରର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଦିନଦିପହରେ ସୁନା ଚେନ୍ ଛିନତାଇ ଘଟଣା ଚର୍ଚ୍ଚାର ବିଷୟ ହୋଇଛି। କେଟିଏମ୍ ବାଇକ୍ରେ ଆସି ଦୁଇ ଦୁର୍ବୃତ୍ତ ଜଣେ ବୃଦ୍ଧାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଇ ପଳାଇଥିଲେ। ପରେ ପଳାଇବା ବେଳେ ପିପିଲି ପୋଲିସ ସେମାନଙ୍କୁ ଧରିବାରେ ସଫଳ ହୋଇଛି।
ଲୁଟ୍ର ଶିକାର ହୋଇଥିବା ମହିଳା ହେଲେ ମଧୁବନ ଅଞ୍ଚଳର ନିରୁପମା ମିଶ୍ର। ସୂଚନା ଅନୁସାରେ, ସେ ଆଜି ସକାଳେ ଗୁଣ୍ଡିଚା ମନ୍ଦିର ନିକଟରୁ ପରିବା କିଣି ଘରକୁ ଫେରୁଥିବା ସମୟରେ ମାଟିପଡା ଛକ ଠାରେ ଦୁଇ ଯୁବକ କେଟିଏମ୍ ବାଇକ୍ରେ ଆସି ତାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଇଥିଲେ। ପ୍ରାୟ ୨୩ ଗ୍ରାମ ଓଜନର ସୁନା ଚେନ୍ ନେଇ ଦୁର୍ବୃତ୍ତମାନେ ଚମ୍ପଟ ମାରିଥିଲେ।
ଘଟଣା ପରେ କୁମ୍ଭାରପଡା ଓ ତାଳବଣିଆ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଆଧାରରେ ତଦନ୍ତ ଆରମ୍ଭ କରିଥିଲେ।
ପୁରୀରୁ ଲୁଟ୍ କରି ଭୁବନେଶ୍ୱର ଅଭିମୁଖେ ପଳାଇବା ବେଳେ ଉତ୍ତରା ଛକ ସିଫା ନିକଟରେ ପିପିଲି ପୋଲିସ ଚଢ଼ାଉ କରି ଦୁଇ ଅଭିଯୁକ୍ତଙ୍କୁ ଧରିଥିଲେ। ସୈାମେନ୍ଦ୍ର ଶେଖର ତ୍ରିପାଠୀଙ୍କ ନେତୃତ୍ୱରେ ପିପିଲି ପୋଲିସ ଟିମ୍ ଏହି ଅଭିଯାନ କରିଥିଲା।
ଧରାପଡ଼ିଥିବା ଦୁଇ ଲୁଟେରା ରାଜ୍ୟ ବାହାରର ହୋଇଥିବା ସୂଚନା ମିଳିଛି। ସେମାନଙ୍କ ଠାରୁ ସୁନା ଚେନ୍ ସହିତ ବ୍ୟବହୃତ ବାଇକ୍କୁ ପୋଲିସ ଜବତ କରିଛି। ଦିନଦିପହରେ ଏଭଳି ଛିନତାଇ ଘଟଣା ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛି।




