ଦିଲ୍ଲୀପ ରାୟଙ୍କ ଚମତ୍କାର ବିଜୟ: ରାଜ୍ୟସଭା ମହାଲଢ଼େଇରେ ୪ ପ୍ରାର୍ଥୀ ସଫଳ, କ୍ରସ୍ ଭୋଟିଂ ନେଇ ଚର୍ଚ୍ଚା

ଭୁବନେଶ୍ବର:- ରାଜ୍ୟସଭା ନିର୍ବାଚନକୁ ନେଇ ଚାଲିଥିବା ସମସ୍ତ ଅନୁମାନ ଓ ରାଜନୈତିକ ଚର୍ଚ୍ଚାର ଶେଷ ହୋଇଛି। ମତଗଣନାର ପ୍ରାଥମିକ ପର୍ଯ୍ୟାୟରେ ମିଳିଥିବା ସୂଚନା ଅନୁଯାୟୀ, ମଇଦାନରେ ଥିବା ୫ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୪ ଜଣ ବିଜୟ ହାସଲ କରିଛନ୍ତି।
ମନମୋହନ ସାମଲ ଓ ସୁଜିତ କୁମାର —ଏହି ଦୁଇଜଣ ଭାରତୀୟ ଜନତା ପାର୍ଟୀର ପ୍ରାର୍ଥୀ ଭାବେ ବିଜୟୀ ହୋଇଥିବାବେଳେ, ସଂନ୍ତୃପ୍ତ ମିଶ୍ର ବିଜୁ ଜନତା ଦଳ ପକ୍ଷରୁ ଜିତିଛନ୍ତି। ସେପଟେ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ସର୍ବାଧିକ ଭୋଟ୍ ପାଇ ଚମତ୍କାର ବିଜୟ ହାସଲ କରିଛନ୍ତି। ସେ ଦତ୍ତେଶ୍ୱର ହୋତାଙ୍କୁ ପରାଜିତ କରିଛନ୍ତି, ଯିଏ କଂଗ୍ରେସ ଓ ବିଜେଡ଼ି ସମର୍ଥନରେ ମଇଦାନରେ ଥିଲେ।
ପ୍ରାଥମିକ ଗଣତି ଅନୁଯାୟୀ, ମନମୋହନ ସାମଲ ଓ ସୁଜିତ କୁମାର ପ୍ରତ୍ୟେକେ ୨୯୪୧ ଭୋଟ୍ ପାଇଥିବାବେଳେ ସଂତୃପ୍ତ ମିଶ୍ରଙ୍କୁ ୩୧୦୦ ଭୋଟ୍ ମିଳିଛି। ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ୨୩୦୦ ଭୋଟ୍ ମିଳିଥିବା ସମୟରେ ଦିଲ୍ଲୀପ ରାୟ ସର୍ବାଧିକ ୩୪୧୮ ଭୋଟ୍ ସହିତ ଆଗରେ ରହିଛନ୍ତି।
ଏହି ନିର୍ବାଚନରେ କ୍ରସ୍ ଭୋଟିଂ ନେଇ ମଧ୍ୟ ଚର୍ଚ୍ଚା ତେଜିଛି। ମତଦାନ ତଥ୍ୟ ଅନୁଯାୟୀ ୧୧ଟି କ୍ରସ୍ ଭୋଟିଂ ଘଟିଥିବା ଆକଳନ କରାଯାଉଛି। ମନମୋହନ ସାମଲ ଓ ସୁଜିତ କୁମାରଙ୍କ ପକ୍ଷରେ ୩୫ଟି କରି ଭୋଟ୍ ପଡ଼ିଥିବାବେଳେ ସଂତୃପ୍ତ ମିଶ୍ରଙ୍କୁ ୩୧ ଓ ଦିଲ୍ଲୀପ ରାୟ ଓ ଦତ୍ତେଶ୍ୱର ହୋତାଙ୍କୁ ୨୩ଟି କରି ଭୋଟ୍ ମିଳିଛି।
ବିଜେଡ଼ି ନେତା ପ୍ରତାପ ଦେବ କହିଛନ୍ତି ଯେ ବିଜେଡ଼ିର ୮ ଜଣ ବିଧାୟକ କ୍ରସ୍ ଭୋଟିଂ କରିଥିବା ନିଶ୍ଚିତ ହୋଇଛି। ସେମାନଙ୍କ ମଧ୍ୟରେ ଅଛନ୍ତି ଚକ୍ରମଣି କଂହର, ସୌଭିକ ବିଶ୍ୱାଳ, ନବ କିଶୋର ମଲ୍ଲିକ, ସୁବାସିନୀ ଜେନା, ଦେବୀ ରଞନ ତ୍ରିପାଠୀ, ରମାକାନ୍ତ ଭୋଇ, ସନାତନ ମହାକୁଡ ଓ ଅରବିନ୍ଦ ମହାପାତ୍ର ।
ଅନ୍ୟପଟେ କଂଗ୍ରେସର ୩ ଜଣ ବିଧାୟକ ରମେଶ ଜେନା, ଦାଶରଥୀ ଗମାଙ୍ଗ ଓ ସୋଫିଆ ଫିରଦୋସ୍ ମଧ୍ୟ କ୍ରସ୍ ଭୋଟିଂ କରିଥିବା କଥା ପିସିସି ସଭାପତି ସ୍ପଷ୍ଟ କରିଛନ୍ତି।
ଏହି କ୍ରସ୍ ଭୋଟିଂ ରାଜ୍ୟର ରାଜନୈତିକ ପରିବେଶକୁ ଆଉ ତେଜ କରିଦେଇଛି ଏବଂ ଆସନ୍ତା ଦିନରେ ଏହାକୁ ନେଇ ଅଧିକ ଚର୍ଚ୍ଚା ହେବା ସମ୍ଭାବନା ରହିଛି।




