ସୂଚନା ଅଧିକାର ଆଇନ ସମ୍ବନ୍ଧୀୟ ଦକ୍ଷତା ବିକାଶ ତାଲିମ ଓ କର୍ମଶାଳା

ଭୁବନେଶ୍ୱର :- ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଆୟୋଜିତ ସୂଚନା ଅଧିକାର ଆଇନ-୨୦୦୫ ସମ୍ବନ୍ଧୀୟ ଚାରି ଦିନିଆ ଦକ୍ଷତା ବିକାଶ ତାଲିମ ଓ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ତାଲିମ କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ନୋଡାଲ୍ ପିଆଇଓ (PIO), ପ୍ରଥମ ଅପିଲ୍ କର୍ତ୍ତୃପକ୍ଷ (First appellate authority) ଓ ଅଧିକାରୀମାନେ ଅଂଶଗ୍ରହଣ କରି ସୂଚନା ଅଧିକାର ଆଇନର ପ୍ରୟୋଗାଧାରିତ ଜ୍ଞାନ ଅର୍ଜନ କରିଛନ୍ତି।
ଉଦଯାପନୀ କାର୍ଯ୍ୟକ୍ରମ ଅବସରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ଅନୁଜ କୁମାର ଦାସ ପଟ୍ଟନାୟକ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର ଅତିରିକ୍ତ ସଚିବ ଶ୍ରୀ ଫାଲଗୁନୀ ସାହେ ନାୟକ ଯୋଗଦେଇଥିଲେ | ସୂଚନା ଅଧିକାର ଆଇନର କାର୍ଯ୍ୟକରୀ ଅନୁଷ୍ଠାନ ସରକାରୀ ପ୍ରଣାଳୀକୁ ଆହୁରି ପାରଦର୍ଶୀ ଓ ସ୍ଵଚ୍ଛ କରିଥାଏ। ଆବେଦନଗୁଡ଼ିକର ସମୟୋପଯୁକ୍ତ ନିଷ୍ପତ୍ତି ଓ ସଠିକ୍ ସୂଚନା ପ୍ରଦାନ ଜନସାଧାରଣଙ୍କ ଭରସାକୁ ଦୃଢ଼ କରିଥାଏ ବୋଲି ଅତିଥିମାନେ ଉଲ୍ଲେଖ କରିଥିଲେ। ଏହି ଅବସରରେ ସୂଚନା ଓ ଲୋକସମ୍ପର୍କ ବିଭାଗର ଉପ ସଚିବ ଶ୍ରୀ ପ୍ରଣବ ଦାସ ମଧ୍ୟ ଉପସ୍ଥିତ ଥିଲେ।
ମୁଖ୍ୟ ପ୍ରଶିକ୍ଷକ ଓ ପୂର୍ବତନ ସୂଚନା ଆୟୁକ୍ତ ଶ୍ରୀ ଦିଲ୍ଲୀପ୍ କୁମାର ବିଶୋଇ କର୍ମଶାଳା ଅବଧିରେ ଆଇନର ବିଭିନ୍ନ ଧାରା, ନିୟମ ଓ ବ୍ୟବହାରିକ ପ୍ରୟୋଗ ସମ୍ପର୍କରେ ତଥ୍ୟଭିତ୍ତିକ ମାର୍ଗଦର୍ଶନ କରିଥିଲେ। ବିଭିନ୍ନ ମାମଲା ଓ ଅନୁଭବ ଆଧାରିତ ଉଦାହରଣ ମାଧ୍ୟମରେ ସେ ଅଂଶଗ୍ରହଣକାରୀ ମାନଙ୍କୁ ଆଇନର ସଠିକ୍ ପ୍ରୟୋଗ ସମ୍ପର୍କରେ ସ୍ପଷ୍ଟ ଧାରଣା ଦେଇଥିଲେ।
ଏହି ତାଲିମ କାର୍ଯ୍ୟକ୍ରମରେ ସମବାୟ, କୃଷି, ମତ୍ସ୍ୟ ଓ ପ୍ରାଣୀସମ୍ପଦ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଜଳ ସମ୍ପଦ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ପୂର୍ତ୍ତ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ପର୍ଯ୍ୟଟନ ଏବଂ ସୂଚନା ଓ ଲୋକସମ୍ପର୍କ ସହିତ ବିଭିନ୍ନ ବିଭାଗର ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ। ଏହି କର୍ମଶାଳା ମାଧ୍ୟମରେ ଅର୍ଜିତ ଜ୍ଞାନ ଓ ଦକ୍ଷତା ସରକାରୀ କାର୍ଯ୍ୟପ୍ରଣାଳୀକୁ ଆହୁରି କାର୍ଯ୍ୟକରୀ କରିବା ସହ ସୂଚନା ଅଧିକାର ଆଇନର ସଫଳ ପ୍ରୟୋଗରେ ସହାୟକ ହେବ ବୋଲି ମତ ପ୍ରକାଶ ପାଇଛି।




