ଲେମ୍ବୁ ଚୋରି ପାଇଁ ନାବାଳକକୁ ପିଟି ହତ୍ୟା, ଅଭିଯୁକ୍ତ ଗିରଫ

ଅମାନବୀୟ, ଅମାନୁଷିକ । ଲେମ୍ବୁ ଚୋରି ପାଇଁ ନାବାଳକକୁ ପିଟି ହତ୍ୟା । ବିହାର ନାଳନ୍ଦା ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଆସ୍ଥାୱାନ ଥାନା ଅଧୀନ ସାକାରଭା ଗାଁରେ ଲେମ୍ବୁଚୋରିକୁ ନେଇ ଗୋଟିଏ ୧୨ ବର୍ଷର ନାବାଳକକୁ ଠେଙ୍ଗାରେ ପିଟି ହତ୍ୟା କରାଯାଇଛି । ମୃତକ ସ୍ଥାନୀୟ ଅଞ୍ଚଳର ରାଜକୁମାର ପାସୱାନଙ୍କ ୧୨ ବର୍ଷର ପୁଅ ବୋଲି ଚିହ୍ନଟ କରିଛି ପୋଲିସ ।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ନାବାଳକ ଜଣକ ଗାଁରେ ପିଲାମାନଙ୍କ ସହିତ ବାଟି ଖେଳୁଥିଲା । ନିକଟରେ ଥିବା ଲେମ୍ବୁ ଗଛରୁ ଏକ ଲେମ୍ବୁ ଖସି ପଡ଼ିବାରୁ କୌତୁହଳ ବଶତଃ ନାବାଳକ ଜଣକ ଲେମ୍ବୁଟିକୁ ଉଠାଇ ନେଇଥିଲା । ଘଟଣାକୁ ନେଇ ଲେମ୍ବୁଗଛ ମାଲିକ ଗୋରଖ ମିଆଁ ଉତ୍ତକ୍ଷୀପ୍ତ ହୋଇ ନାବାଳକକୁ ଠେଙ୍ଗାରେ ଏକ ଶକ୍ତ ପାହାର ମାରିଥିଲା । ନାବାଳକ ମୁଣ୍ଡରେ ପାହାର ବାଜିବାରୁ ଘଟଣାସ୍ଥଳରେ ହିଁ ସଂଜ୍ଞାହୀନ ହୋଇ ପଡ଼ିଥିଲା । ପରବର୍ତ୍ତୀ ସମୟରେ ନାବାଳକକୁ ତୁରନ୍ତ ମେଡିକାଲ ନିଆଯାଉଥିବା ବେଳେ ରାସ୍ତାରେ ହିଁ ନାବାଳକର ମୃତ୍ୟୁ ହୋଇଥିଲା।
ସାମାନ୍ୟ ଲେମ୍ବୁକୁ ନେଇ ନାବାଳକୁ ପିଟି ହତ୍ୟା କରାଯାଇଥିବାରୁ ଉତ୍ତ୍ୟକ୍ତ ହୋଇଥିଲେ ଗ୍ରାମବାସୀ। ଅଭିଯୁକ୍ତକୁ ଗିରଫ ସମେତ ତା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବିରେ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହୋଇଥିଲା। ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ମହିଳାମାନେ ପୋଲିସ ଉପରକୁ ଆକ୍ରମଣ କରିଥିଲେ। ଫଳରେ ବାଧ୍ୟହୋଇ ପୋଲିସ ଲାଠି ଚାର୍ଜ କରିଥିଲା। ସେପଟେ ଗାଁଲୋକଙ୍କ କବଳରୁ ଅଭିଯୁକ୍ତକୁ ପୋଲିସ ଉଦ୍ଧାର କରି ନିଜ ହେପାଜତକୁ ନେଇଥିବା ଜଣାପଡ଼ିଛି । ଖୁବଶୀଘ୍ର ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି ।




