ଇଣ୍ଡଷ୍ଟ୍ରି ନାଁରେ ବଡ଼ ଅଭିଯୋଗ ଆଣିଲେ ଅମାଲ୍, ସୋସିଆଲ ମିଡିଆରେ ସେୟାର କଲେ ନୋଟ୍

ଗାୟକ ଏବଂ ସଂଗୀତ କମ୍ପୋଜର ଅମାଲ୍ ମଲିକ ପ୍ରାୟତଃ ତାଙ୍କର ସ୍ପଷ୍ଟ ବୟାନ ପାଇଁ ଖବରରେ ରହିଥାନ୍ତି । ସେ ଏବେ ସୋସିଆଲ ମିଡିଆରେ ଏକ ଲମ୍ବା ନୋଟ୍ ସେୟାର କରିଛନ୍ତି, ଯେଉଁଥିରେ ସେ ଇଣ୍ଡଷ୍ଟ୍ରିର କିଛି ଲୋକଙ୍କ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି । ଅମାଲ୍ ଦାବି କରିଛନ୍ତି ଯେ ଗତ କିଛି ବର୍ଷ ଧରି ତାଙ୍କୁ ପ୍ରାୟ ୬୦ ଟି ଫିଲ୍ମରୁ ବାହାର କରାଯାଇଛି ଏବଂ ଲଗାତାର ଭାବରେ ତାଙ୍କୁ ସାଇଡ୍ ଲାଇନ୍ କରାଯାଇଛି ।
ଗତକାଲି ରାତିରେ, ଅମାଲ୍ ମଲିକ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ତାଙ୍କ ପ୍ରଶଂସକଙ୍କ ସହ ଏକ ଲମ୍ବା ନୋଟ୍ ସେୟାର କରିଥିଲେ । ଏଥିରେ ସେ ଲେଖିଛନ୍ତି, ଇଣ୍ଡଷ୍ଟ୍ରିର ବଡ଼ ବଡ଼ ପାୱାରଫୁଲ୍ ବ୍ୟକ୍ତିମାନେ ମୋତେ ୬୦ ରୁ ଅଧିକ ପ୍ରୋଜେକ୍ଟରୁ ବାହାର କରିଦେଇଥିଲେ । ମୁଁ ବ୍ୟକ୍ତିଗତ ଭାବରେ ପ୍ରାୟ ୨୦ଟି ଫିଲ୍ମ ଛାଡିଦେଇଥିଲି କାରଣ ମୁଁ ସେହି ସେଟଅପରେ କାମ କରିବାକୁ ମତେ ଠିକ୍ ଲାଗୁନଥିଲା । ଜଣେ ସଂଗୀତଜ୍ଞ ଭାବରେ, ମୁଁ ସେଠାରେ ନିଜକୁ ସମ୍ମାନ ଦେଇପାରିଲି ନାହିଁ ।
ଅମାଲ୍ ଆହୁରି କହିଛନ୍ତି ଯେ ସେ ତାଙ୍କ ପ୍ରଶଂସକମାନଙ୍କ ପାଇଁ ଭଲ ଗୀତ ଏବଂ ଭିଡିଓ କରିବାକୁ ସର୍ବଦା ଚେଷ୍ଟା କରିବେ, ତାଙ୍କୁ ଫିଲ୍ମ ମିଳୁ କିମ୍ବା ନ ମିଳୁ । ସେ ଲେଖିଛନ୍ତି, ମୋର କୌଣସି ଦୁଃଖ ନାହିଁ, ଏହା ସେମାନଙ୍କ ପାଇଁ କ୍ଷତି । କିନ୍ତୁ କୋଉଠି ନା କୋଉଠି ଏହାର ପ୍ରଭାବ ମୋର ଫ୍ୟାନ୍ସଙ୍କ ଉପରେ ପଡ଼ିପାରେ ଏବଂ ମୁଁ ଏଥିପାଇଁ କ୍ଷମା ପ୍ରାର୍ଥନା କରୁଛି । ତେଣୁ ମୁଁ ଆପଣମାନଙ୍କ ସହିତ ଏହା ସ୍ପଷ୍ଟ କରିବାକୁ ଚାହୁଁଛି ।
ସେ ୨୦୧୪ ମସିହାରେ ଜୟ ହୋ ସହିତ ଜଣେ ସଙ୍ଗୀତକାର ଭାବରେ ବଲିଉଡ୍ରେ ଡେବ୍ୟୁ କରିଥିଲେ । ହେଲେ, ତାଙ୍କର ପ୍ରକୃତ ପରିଚୟ ସୂରଜ ଦୂବା ହୈ ଗୀତରୁ ଆରମ୍ଭ ହୋଇଥିଲା । ସେ ପରବର୍ତ୍ତୀ ସମୟରେ ହିରୋ, ଏୟାରଲିଫ୍ଟ, କପୁର ଆଣ୍ଡ୍ ସନ୍ସ, ଏମ୍.ଏସ୍. ଧୋନି: ଦି ଅନଟୋଲ୍ଡ ଷ୍ଟୋରୀ, କବୀର ସିଂହ, ଏବଂ ଭେଦା ଭଳି ଫିଲ୍ମ ପାଇଁ ଗୀତ ଦେଇଥିଲେ ।




