ମୃତ୍ୟୁ ପୂର୍ବରୁ ମିଳିଥାଏ ଏହି ସବୁ ସଙ୍କେତ, ଜାଣନ୍ତୁ କଣ କୁହେ ଗରୁଡ ପୁରାଣ

ଦୁନିଆର ସବୁଠାରୁ କଟୁ ସତ୍ୟ ହେଉଛି ମୃତ୍ୟୁ । ଯେମିତି ଜନ୍ମ ସୁନିଶ୍ଚିତ ସେମିତି ମୃତ୍ୟୁ ମଧ୍ୟ ସୁନିଶ୍ଚିତ । କଥାରେ ଅଛି ମର୍ତ୍ତ୍ୟ ମଣ୍ଡଳେ ଦେହ ଭରି ଦେବତା ହୋଇଲେ ବି ମରଇ । ମୃତ୍ୟୁ ଆଗରେ ସମସ୍ତେ ସମାନ । ଜନ୍ମ ହେବା ପୂର୍ବରୁ ଯେମିତି କିଛି ସଙ୍କେତ ମିଳିଥାଏ ସେମିତି ମୃତ୍ୟୁ ପୂର୍ବରୁ ମଧ୍ୟ ସଙ୍କେତ ମିଳିଥାଏ । ଜନ୍ମ ପୂର୍ବରୁ ମାର ଗତିବିଧିରୁ ପିଲା ଦୁନିଆକୁ ଆସିବାକୁ ଯାଉଛି ବୋଲି ଜଣାଯାଏ । ଯାହା ଜନ୍ମ ପୂର୍ବରୁ ବଡ଼ ସଙ୍କେତ ବୋଲି ମନାଯାଏ । କିନ୍ତୁ ମୃତ୍ୟୁ ପୂର୍ବରୁ ମିଳୁଥିବା ସଙ୍କେତକୁ ବେଳେବେଳେ ଆମେ ଅଣଦେଖା କରିଦେଇଥାଉ ।
ସାଧାରଣତଃ ଜନ୍ମ ସଙ୍କେତ ଜାଣିବା ଅପେକ୍ଷା ମୃତ୍ୟୁର ସଙ୍କେତ ଜାଣିବାକୁ ମନରେ ଆଗ୍ରହ ଦେଖାଦେଇଥାଏ । ଯେମିତିକି ମୃତ୍ୟୁ ସମୟରେ କିମ୍ବା ପୂର୍ବରୁ ଜଣେ ବ୍ୟକ୍ତି କିପରି ଅନୁଭବ କରନ୍ତି ଏବଂ କଣ ସବୁ ସଙ୍କେତ ମିଳିଥାଏ ସେ ସମ୍ପର୍କରେ ଜାଣିବାକୁ ଖୁବ୍ ଇଚ୍ଛା ହୋଇଥାଏ । କିନ୍ତୁ ମୃତ୍ୟୁ ସହିତ ଜଡିତ ଥିବା ସମସ୍ତ ସୂଚନା ଗରୁଡ ପୁରାଣରେ ବର୍ଣ୍ଣନା ହୋଇଛି । ତେବେ ଆସନ୍ତୁ ଗରୁଡ ପୁରାଣରେ ଥିବା ମୃତ୍ୟୁ ସଙ୍କେତଗୁଡିକ ସମ୍ପର୍କରେ ଜାଣିବା ।
ଛାଇ ନ ଦିଶିବା :
ଗରୁଡ ପୁରାଣ ଅନୁସାରେ ଯଦି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହେବାକୁ ଯାଉଛି ସେମାନଙ୍କ ଛାଇ ଦେଖାଯାଇନଥାଏ । ଯାହାକୁ ଅଶୁଭ ସଙ୍କେତ ବୋଲି କୁହାଯାଇଥାଏ । ଯାହା ଜୀବନର ଶେଷ ସମୟ ପାଖେଇ ଆସିଲାଣି ବୋଲି ସୂଚାଇ ଥାଏ ।
ସ୍ବପ୍ନରେ ପୂର୍ବପୁରୁଷଙ୍କୁ ଦେଖିବା :
ଯଦି ଜଣେ ବ୍ୟକ୍ତି ବାରମ୍ବାର ସ୍ବପ୍ନରେ ତାଙ୍କର ପୂର୍ବପୁରୁଷମାନଙ୍କୁ ଦେଖନ୍ତି ଏବଂ ସେମାନେ ଡାକନ୍ତି ତେବେ ଆପଣଙ୍କ ମୃତ୍ୟୁ ପାଖେଇ ଆସିଲାଣି ବୋଲି ବୁଝିଯାଆନ୍ତୁ ।
ଯମଦୂତଙ୍କୁ ଅନୁଭବ କରିବା :
କୁହାଯାଏ ଯେତେବେଳେ ମୃତ୍ୟୁ ପାଖେଇ ଆସେ ସେତେବେଳେ କେହି ତାକୁ ନେବାକୁ ଆସିଲା ପରି ଅନୁଭବ ହୋଇଥାଏ । କେତେକ ସମୟରେ ରାତିରେ ଭୟ, ଅସ୍ଥିରତା କିମ୍ବା ନକରାତ୍ମକ ଶକ୍ତିର ଅନୁଭବ ହୁଏ ଯାହାକୁ ମୃତ୍ୟୁର ଦୂତମାନଙ୍କର ଉପସ୍ଥିତି ବୋଲି ବିଶ୍ୱାସ କରାଯାଏ ।
ପୁରୁଣା କାମ ମନେ ପଡିବା :
ଗରୁଡ ପୁରାଣ ଅନୁସାରେ ପୂର୍ବ କର୍ମର ଫଳ ଯଦି ବାରମ୍ବାର ମନେପଡେ ତେବେ ଏହା ମୃତ୍ୟୁ ପୂର୍ବର ସଙ୍କେତ ବୋଲି କୁହାଯାଇଥାଏ ।
ରେଖା ଫିକା ପଡିବା :
ମୃତ୍ୟୁ ପୂର୍ବରୁ ସେହି ବ୍ୟକ୍ତିଙ୍କର ହାତ ରେଖା ଫିକା ପଡିଯାଏ ଏବଂ କିଛି ରେଖା ଅଦୃଶ୍ୟ ହୋଇଯାଏ । ଯାହା ମୃତ୍ୟୁ ପାଖେଇ ଆସିବାର ଆଉ ଏକ ସଙ୍କେତ ହୋଇଥାଏ ।
ଏହା ବ୍ୟତୀତ ଜଣେ ବ୍ୟକ୍ତିର ମୃତ୍ୟୁ ପରେ ଘରେ ଗରୁଡ ପୁରାଣ ପାଠ କରିବା ଉଚିତ୍ ବୋଲି କୁହାଯାଏ । କାହିଁକିନା ଏହା ପାଠ କରିବା ଦ୍ବାରା ମୃତ ଆତ୍ମାକୁ ଶାନ୍ତି ମିଳେ, ମୋକ୍ଷ ପ୍ରାପ୍ତି ହୁଏ, ଘରୁ ନକରାତ୍ମକ ଶକ୍ତି ଦୂରେଇ ଯାଏ ଏବଂ ଶାନ୍ତି ଏବଂ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରେ ।




