ଦେଶ- ବିଦେଶ

ଯାତ୍ରୀ ଭର୍ତ୍ତି ବସରେ ଭୟଙ୍କର ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ

ଉତ୍ତରାଖଣ୍ଡର ହରିଦ୍ବାରରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି । ଏକ ଯାତ୍ରୀ ଭର୍ତ୍ତି ବସରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ଫଳରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି । ଏଭଳି ଘଟଣା ଗତକାଲି ରାତିରେ ଦେଖିବାକୁ ମିଳିଛି । ସୌଭାଗ୍ୟବଶତଃ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।

ସୂଚନାନୁଯାୟୀ, ହରିଦ୍ୱାରର ବାହାଦ୍ରବାଦ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି ।ଏକ ପେଟ୍ରୋଲ ପମ୍ପ ନିକଟରେ ଯାତ୍ରୀ ଭର୍ତ୍ତି ଏକ ବସରେ ହଠାତ୍ ନିଆଁ ଲାଗିଯାଇଥିଲା । ବସଟି ଗତକାଲି ବିଳମ୍ବିତ ରାତିରେ ଋଷିକେଶରୁ ଜୟପୁର ଅଭିମୁଖେ ଯାତ୍ରା କରୁଥିଲା । ଏହାରି ମଧ୍ୟରେ ବାହାଦ୍ରବାଦ ଥାନା ଅଞ୍ଚଳରେ ବସର ଇଞ୍ଜିନରେ ସ୍ପାର୍କିଂ ହୋଇ ଧୂଆଁ ଉଠିବାକୁ ଲାଗିଥିଲା । ଫଳରେ ଯାତ୍ରୀମାନେ ତୁରନ୍ତ ବସରୁ ଓହ୍ଲାଇ ପଡ଼ିଥିଲେ । ଧୂଆଁ ଉଠିବାର କିଛି ସମୟ ମଧ୍ୟରେ ବସରେ ନିଆଁ ଲାଗି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ବାହାଦୁରଗଡ଼ ପୋଲିସ ଏବଂ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ପାଇଁ ଚେଷ୍ଟା କରିଥିଲେ । ପୋଲିସ ଏବଂ ଅଗ୍ନିଶମ କର୍ମଚାରୀଙ୍କ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ବାହାର କରି ଏକ ବଡ଼ ଦୁର୍ଘଟଣାକୁ ଏଡାଇ ଦେବା ସମ୍ଭବ ଥିଲା ।

ଅନ୍ୟପଟେ  ଅଗ୍ନିକାଣ୍ଡରେ ସମସ୍ତ ଯାତ୍ରୀଙ୍କ ଜିନିଷପତ୍ର ନଷ୍ଟ ହୋଇଯାଇଥିଲା। ବସ୍‌ରେ କିଛି ବିଦେଶୀ ପର୍ଯ୍ୟଟକ ମଧ୍ୟ ଥିଲେ। ସେମାନେ ପୋଲିସ ଏବଂ ଅଗ୍ନିଶମ ବିଭାଗର ତତ୍ପରତାକୁ ପ୍ରଶଂସା କରିଥିଲେ। ଏଥିସହ ବିଦେଶୀ ପର୍ଯ୍ୟଟକମାନେ କହିଛନ୍ତି ଯେ, ପ୍ରଶାସନ ତୁରନ୍ତ ସହାୟତା ଯୋଗାଇ ଦେଇଛି।

Leave a Reply

Your email address will not be published. Required fields are marked *

Back to top button