ଦୁର୍ଘଟଣା

ବାଲିଅନ୍ତା ବର୍ବରକାଣ୍ଡ ଘଟଣାରେ ଘାଣ୍ଟୁଛି NHRC, ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତର, ଆମ୍ବୁଲାନ୍ସ ଡ୍ରାଇଭର ହାଜର

ବାଲିଅନ୍ତା ବର୍ବରକାଣ୍ଡ ଘଟଣାରେ ଘାଣ୍ଟୁଛି NHRC । ହାଜର ହେଉଛନ୍ତି ଜଣକ ପରେ ଜଣେ । ସୌମ୍ୟଙ୍କ ବିରୋଧରେ ଅଭିଯୋଗ କରିଥିବା ଦୁଇ ଯୁବତୀ, ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତର, ସୌମ୍ୟଙ୍କ ସାଙ୍ଗ ନିଶିକାନ୍ତ ହାଜର ହୋଇଛନ୍ତି । ଏହାସହ ଘଟଣାସ୍ଥଳରେ ଥିବା ସୌମ୍ୟଙ୍କ ବନ୍ଧୁ ଓମ୍ , ଆମ୍ବୁଲାନ୍ସ ଡ୍ରାଇଭର ଓ କ୍ରାଇମବ୍ରାଞ୍ଚ ଅଫିସର ଟିମ୍ ନିକଟରେ ହାଜର ହୋଇଛନ୍ତି । ସମସ୍ତଙ୍କୁ ପଚରାଉଚରା କରୁଛି NHRC ଟିମ୍ ।

ସେପଟେ ବାଲିଅନ୍ତା ଘଟଣାକୁ ନେଇ ଆସିଛି ସାଂଘାତିକ ତଥ୍ୟ । ମେ ୭ ତାରିଖ ଦିନ ସକାଳେ ରାମଚନ୍ଦ୍ରପୁର ନିକଟରେ ଦୁର୍ଘଟଣା ଘଟିଥିବା ନେଇ ୧୦୮ ଆମ୍ବୁଲାନ୍ସକୁ କଲ୍ ଆସିଥିଲା । ଅଡ଼ସପୁର ମେଡିକାଲରୁ ବାହାରିଥିବା ୧୦୮ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଥିଲା । ସେଠାରେ ପହଞ୍ଚି ଡ୍ରାଇଭର କଲ୍ କରିଥିବା ବ୍ୟକ୍ତିଙ୍କ ସହ ଯୋଗାଯୋଗ କରିଥିଲେ । ହେଲେ ଦୁର୍ଘଟଣାରେ ଆହତ ହୋଇଥିବା ଦୁଇ ଯୁବତୀ ପ୍ରାଇଭେଟ ଗାଡ଼ିରେ ହସ୍ପିଟାଲ ଯାଇଥିବା କହି ଆମ୍ବୁଲାନ୍ସକୁ ଫେରାଇ ଦିଆଯାଇଥିଲା । ତେବେ କିଏ ସେହି ବ୍ୟକ୍ତି? କାହିଁକି ଆମ୍ବୁଲାନ୍ସକୁ ଫେରାଇ ଦିଆଗଲା? ଏହା ପଛରେ କୌଣସି ଷଡ଼ଯନ୍ତ୍ର ଥିଲା କି? ଏଭଳି ଅନେକ ପ୍ରଶ୍ନର ଉତ୍ତର ଖୋଜୁଛି NHRC ଟିମ । ଘଟଣା ଦିନ ଯେଉଁମାନେ କ୍ରାଇମସ୍ପଟରେ ଥିଲେ ସମସ୍ତଙ୍କୁ ଜେରା କରାଯିବ । ପୋଲିସ ଉପସ୍ଥିତିରେ କିଭଳି ଆଇନକୁ ହାତକୁ ନେଲେ ଲୋକ ।

ସେନେଇ ନିଲମ୍ବିତ ପୋଲିସ କର୍ମଚାରୀଙ୍କୁ ମଧ୍ୟ ଜଣ ଜଣ କରି ପଚାରିବ NHRC ଟିମ୍। NHRC ର ସରଜମିନ ତଦନ୍ତ ଚାଲିଥିବା ବେଳେ ଏଡିଜି ଲିଙ୍କରେ ମଧ୍ୟ ପଚରାଉଚରା ହୋଇପାରେ । ପୂର୍ବରୁ ବାଲିଅନ୍ତା ଥାନାର ପୂର୍ବତନ ଆଇଆଇସି, କ୍ରାଇମବ୍ରାଞ୍ଚ ଏସପି ଓ ଡିଏସପି ସହ ଜିଆରପି ଏସପି ଓ ବିବାଦୀୟ ଏଡିଜିଙ୍କ କ୍ବାଟରରେ କାମ କରୁଥିବା ୮ଜଣ ପୋଲିସ କର୍ମଚାରୀ ଙ୍କୁ ପଚରାଉଚରା କରିସାରିଛି ଟିମ୍। ଏପରିକି କ୍ରାଇମସ୍ପଟ ଓ ସୋମ୍ୟଙ୍କ ପରିବାରକୁ ଭେଟି ମଧ୍ୟ ପଚରାଉଚରା କରିସାରିଛନ୍ତି । NHRCର ଏକ ସ୍ୱତନ୍ତ୍ର ଟିମ୍ ଓଡ଼ିଶାରେ ପହଞ୍ଚି ୫ ଦିନିଆ ଗ୍ରାଉଣ୍ଡ ଜେରା ଓ ଅନୁସନ୍ଧାନ ଆରମ୍ଭ କରିଛି ।

 

Leave a Reply

Your email address will not be published. Required fields are marked *

Back to top button