ଆଜି ଭାରତ-ଆଫଗାନିସ୍ତାନ ଟେଷ୍ଟ, ପୂର୍ବ ତ୍ରୁଟି ସୁଧାରିବାକୁ ଚେଷ୍ଟା କରିବ ଭାରତ

ଚଣ୍ଡିଗଡ଼ରେ ଆଜିଠୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଏକମାତ୍ର ଟେଷ୍ଟ । ଏହି ମ୍ୟାଚ୍ ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ ଚକ୍ରରେ ଆସୁ ନଥିଲେ ବି ଆଗକୁ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଟେଷ୍ଟ୍ ଶୃଙ୍ଖଳା ଥିବାରୁ ଦଳରେ ସନ୍ତୁଳନ ଫେରାଇ ଆଣିବା ସହ ପୂର୍ବ ତ୍ରୁଟି ସୁଧାରିବାକୁ ଚେଷ୍ଟା କରିବ ଭାରତ । ସେପଟେ, ଭାରତ ପରି ଏକ ଶକ୍ତିଶାଳୀ ଓ ଅଭିଜ୍ଞ ଟେଷ୍ଟ୍ ଦଳ ତୁଳନାରେ ଏକ ଅନଭିଜ୍ଞ ଦଳ ହୋଇଥିଲେ ବି ପ୍ରତିଭାବାନ ଆଫଗାନିସ୍ତାନ ଦଳ ଏକ ଭଲ ଲଢେଇ କରିବାକୁ ଉଦ୍ୟମ କରିବ । ମ୍ୟାଚ୍ ର ଦିନକ ପୂର୍ବରୁ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ସ୍ପଷ୍ଟ କରିଛନ୍ତି ଯେ ତିନି ନମ୍ବର ସ୍ଥାନରେ ସାଇ ସୁଦର୍ଶନଙ୍କୁ ସୁଯୋଗ ଦିଆଯିବ । ସେ ଆଇପିଏଲ୍ ରେ ୭୦୦ରୁ ଅଧିକ ରନ କରିବା ସହ ଭଲ ଫର୍ମରେ ଅଛନ୍ତି ।
ଏହା ସହିତ ସାଇଙ୍କୁ ଯଥେଷ୍ଟ ସୁଯୋଗ ଦିଆଯାଇନଥିବା ଗୌତମ ସ୍ବୀକାର କରିଛନ୍ତି । ଅନ୍ୟପକ୍ଷରେ, ଆଗାମୀ ଶ୍ରୀଲଙ୍କା ଟେଷ୍ଟ ଶୃଙ୍ଖଳା ପୂର୍ବରୁ ଭାରତର ଚତୁର୍ଥ ସ୍ପିନର କିଏ ଖେଳିବେ ତାହା ନିର୍ଣ୍ଣୟ କରିବାକୁ ଏହି ଟେଷ୍ଟ ଏକ ସୁଯୋଗ ବୋଲି ସେ କହିଛନ୍ତି । ଏହି ମ୍ୟାଚ୍ ପାଇଁ ଭାରତୀୟ ଦଳରେ ଦୁଇ ସ୍ପିନର ମାନବ ସୁତାର ଓ ହର୍ଷ ଦୁବେଙ୍କୁ ସାମିଲ କରାଯାଇଛି । ସେମାନଙ୍କ ମଧ୍ୟରୁ ଜଣେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବେ । ଦୁଇ ଦଳ ମଧ୍ୟରେ ଏହା ଦ୍ବିତୀୟ ଟେଷ୍ଟ ।
ପ୍ରଥମ ଟେଷ୍ଟ ୨୦୧୮ରେ ବେଙ୍ଗାଲୁରୁରେ ଖେଳାଯାଇଥିଲା । ସେଥିରେ ମାତ୍ର ଦୁଇ ଦିନରେ ଆଫଗାନିସ୍ତାନ ୨୦ ଓ୍ବିକେଟ୍ ହରାଇ ଇନିଂସ ପରାଜୟ ବରଣ କରିଥିଲା । କିନ୍ତୁ ଏଥର ହସମତୁଲ୍ଲା ଶାହିଦିଙ୍କ ଦଳ ଭାରତୀୟ ଟେଷ୍ଟ ଦଳ ବିପକ୍ଷରେ ଏକ ଭଲ ଲଢେଇ ଦେବାକୁ ଉଦ୍ୟମ କରିବ । ଭାରତୀୟ ଦଳ ଶୁବମନ ଗିଲଙ୍କ ଅଧିନାୟକତ୍ବରେ ଖେଳିବ । ଯଶସ୍ବୀ ଜୟସ୍ବାଲ, କେଏଲ୍ ରାହୁଲ, ସାଇ ସୁଦର୍ଶନ, ଋଷଭ ପନ୍ତ ଟିମରେ ସ୍ଥାନ ପାଇଛନ୍ତି ।




