ଖେଳ ଖବର

ମେସିଙ୍କ ହ୍ୟାଟ୍ରିକ ଗୋଲ୍, ଆଲଜେରିଆକୁ ୩-୦ ରେ ଧୂଳି ଚଟାଇଲା ଆର୍ଜେଣ୍ଟିନା

ଆର୍ଜେଣ୍ଟିନାର ଷ୍ଟାର ଫୁଟବଲର ଲିଓନେଲ ମେସିଙ୍କ ଐତିହାସିକ ହ୍ୟାଟ୍ରିକ । ବିଶ୍ୱକପର ପ୍ରଥମ ମ୍ୟାଚରେ ଆଲଜେରିଆକୁ ୩-୦ ରେ ଧୂଳି ଚଟାଇଲା ଆର୍ଜେଣ୍ଟିନା । ୨୦୨୬ ଫିଫା ବିଶ୍ୱକପରେ ଡିଫେଣ୍ଡିଂ ଚାମ୍ପିଅନ୍ ଆର୍ଜେଣ୍ଟିନା ବିଜୟ ସହ ତାର ଅଭିଯାନ ଆରମ୍ଭ କରିଛି ।

ଆମେରିକାର କାନସାସ୍ ସିଟିସ୍ଥିତ ଆରୋହେଡ୍ ଷ୍ଟାଡିୟମରେ ଖେଳାଯାଇଥିବା ଗ୍ରୁପ୍ ‘J’ ର ଏହି ରୋମାଞ୍ଚକର ମ୍ୟାଚରେ ଆର୍ଜେଣ୍ଟିନା ୩-୦ ଗୋଲରେ ଆଲଜେରିଆକୁ ପରାସ୍ତ କରିଛି । ଏହି ମ୍ୟାଚର ସବୁଠାରୁ ବଡ଼ ଆକର୍ଷଣ ଥିଲେ ଷ୍ଟାର ଲିଓନେଲ ମେସି । ୩୯ ବର୍ଷ ବୟସରେ ମଧ୍ୟ ମେସି ନିଜର ଚମତ୍କାର ଖେଳ ପ୍ରଦର୍ଶନ କରି ବିଶ୍ୱକପ୍ କ୍ୟାରିୟରର ପ୍ରଥମ ହ୍ୟାଟ୍ରିକ ହାସଲ କରିଛନ୍ତି । ଆଲଜେରିଆକୁ ଚକମା ଦେଇ ମେସି ୩ଟି ଯାକ ଗୋଲ୍ ଦେଇଥିଲେ । ୧୭ ମିନିଟରେ ନିଜର ପ୍ରଥମ ଗୋଲ୍ କରିଥିଲେ ମେସି । ୬୦ ମିନିଟରେ ଦ୍ୱିତୀୟ ଗୋଲ୍ ଏବଂ ୭୬ ମିନିଟରେ ତୃତୀୟ ଗୋଲ୍ ମାରି ମେସି ନିଜର ହ୍ୟାଟ୍ରିକ ପୂରଣ କରିବା ସହ ଦଳକୁ ୩-୦ ର ଅପରାଜେୟ ଅଗ୍ରଣୀ ଦେଇଥିଲେ ।

ଏହି ମ୍ୟାଚରେ ଚମତ୍କାର ପ୍ରଦର୍ଶନ ସହ ମେସି ଫୁଟବଲ୍ ଇତିହାସର କିଛି ବଡ଼ ରେକର୍ଡ ନିଜ ନାମରେ କରିଛନ୍ତି । ପୁରୁଷ ବିଶ୍ୱକପ୍ ଇତିହାସରେ ସର୍ବାଧିକ ଗୋଲ୍ ୧୭ଟି ଗୋଲ୍ କରିବାରେ ମେସି ଏବେ ଜର୍ମାନୀର କିମ୍ବଦନ୍ତୀ ଖେଳାଳି ମିରୋସ୍ଲାଭ କ୍ଲୋସେଙ୍କ ସହ ଶୀର୍ଷରେ ପହଞ୍ଚିଛନ୍ତି । ବିଶ୍ୱକପ୍ ଇତିହାସରେ ଗୋଟିଏ ମ୍ୟାଚରେ ଦୁଇଟି ଗୋଲ୍ ଏବଂ ହ୍ୟାଟ୍ରିକ ହାସଲ କରିବାରେ ସେ ସବୁଠାରୁ ବୟସ୍କ ଖେଳାଳି ହୋଇଛନ୍ତି । ଏହି ମ୍ୟାଚ ଲିଓନେଲ ମେସିଙ୍କ କ୍ୟାରିୟରରେ ଏକ ଅତ୍ୟନ୍ତ ସ୍ୱତନ୍ତ୍ର ଏବଂ ଐତିହାସିକ ମୁହୂର୍ତ୍ତ ଥିଲା । ଏହା ତାଙ୍କର ଆର୍ଜେଣ୍ଟିନା ଜର୍ସିରେ ୨୦୦ତମ ଅନ୍ତର୍ଜାତୀୟ ମ୍ୟାଚ୍ ଥିଲା, ଯାହାକୁ ସେ ତାଙ୍କର ପ୍ରଥମ ବିଶ୍ୱକପ୍ ହ୍ୟାଟ୍ରିକ୍ ସହିତ ସ୍ମରଣୀୟ କରିଦେଇଥିଲେ । ନିଜର ଶେଷ ବିଶ୍ୱକପ୍ ବୋଲି କୁହାଯାଉଥିବା ଏହି ଟୁର୍ଣ୍ଣାମେଣ୍ଟରେ ମେସିଙ୍କ ଏଭଳି ଆରମ୍ଭ କ୍ରୀଡ଼ାପ୍ରେମୀଙ୍କୁ ଉତ୍ସାହିତ କରିଦେଇଛି । ନ୍ୟୁୟର୍କର ଟାଇମ୍ସ ସ୍କୋୟାର ଠାରୁ ଆରମ୍ଭ କରି ସାରା ବିଶ୍ୱର ଫୁଟବଲ୍ ଫ୍ୟାନ୍ସ ଏବେ ମେସିଙ୍କ ଜାଦୁରେ ବିଭୋର ।

Leave a Reply

Your email address will not be published. Required fields are marked *

Back to top button