ବିଦେଶୀ ଗ୍ୟାଙ୍ଗଷ୍ଟରର ୪ ସୁଟର ନିହତ, ୩ ପୋଲିସ କର୍ମଚାରୀ ଆହତ

ହରିୟାଣା ଗୁରୁଗ୍ରାମରେ ମଧ୍ୟରାତ୍ରିରେ ଏନକାଉଣ୍ଟର । ବିଦେଶୀ ଗ୍ୟାଙ୍ଗଷ୍ଟରର ୪ ସୁଟର ନିହତ । ଧୂଳି ଚଟାଇଲା ପୋଲିସ କ୍ରାଇମବ୍ରାଞ୍ଚ । ବିଳମ୍ବିତ ରାତିରେ ଗୁରୁଗ୍ରାମ ପୋଲିସ କ୍ରାଇମବ୍ରାଞ୍ଚ ଏବଂ ଅପରାଧୀଙ୍କ ମଧ୍ୟରେ ହୋଇଥିବା ଭୟଙ୍କର ଗୁଳିବିନିମୟରେ ବିଦେଶରେ ଲୁଚି ରହିଥିବା ଗ୍ୟାଙ୍ଗଷ୍ଟର ଦୀପକ ନାନ୍ଦଲର ୪ ଜଣ ଦୁର୍ଦ୍ଦାନ୍ତ ସୁଟର ନିହତ ହୋଇଛନ୍ତି । ଏହି ମଧ୍ୟରାତ୍ରି ଅପରେସନରେ ଜଣେ ଅପରାଧୀ ଗୁରୁତର ଆହତ ହୋଇଥିବା ବେଳେ ୩ ଜଣ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି ।
ସୂଚନା ଅନୁଯାୟୀ, ଗୁରୁଗ୍ରାମର ସୁଶାନ୍ତ ଲୋକ ଫେଜ୍-୨ ଅଞ୍ଚଳରେ ରହୁଥିବା ଜଣେ ପ୍ରତିଷ୍ଠିତ ବ୍ୟବସାୟୀ । ଏସଜିଟି ୟୁନିଭରସିଟି ପ୍ରତିଷ୍ଠାତାଙ୍କ ପୁଅ ତଥା ପ୍ରପର୍ଟି ଡିଲରଙ୍କ ଉପରେ ଏହି ଆକ୍ରମଣ ହୋଇଥିଲା । ବ୍ୟବସାୟୀଙ୍କଠାରୁ ୧ କୋଟି ଟଙ୍କାର ବଟି ଦାବି କରି ସୁଟରମାନେ ଏକ ମହିନ୍ଦ୍ରା ସ୍କର୍ପିଓ ଗାଡ଼ିରେ ଆସି ତାଙ୍କ ଘର ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ । ପୋଲିସ ପହଞ୍ଚିବା ପୂର୍ବରୁ ସେମାନେ ବ୍ୟବସାୟୀଙ୍କୁ କିଛି ସମୟ ପାଇଁ ବନ୍ଧକ ରଖିଥିଲେ ।
ପୋଲିସ କଣ୍ଟ୍ରୋଲ ରୁମ୍ କୁ ସନ୍ଦିଗ୍ଧ ଗତିବିଧି ନେଇ ଖବର ମିଳିବା ମାତ୍ରେ ଗୁରୁଗ୍ରାମ ପୋଲିସ କ୍ରାଇମବ୍ରାଞ୍ଚର ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ପୋଲିସକୁ ଦେଖି ଅପରାଧୀମାନେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ଗୁଳି ବର୍ଷଣ କରିଥିଲେ । ପୋଲିସ ନିଜ ଆତ୍ମରକ୍ଷା ପାଇଁ ପାଲଟା ଗୁଳି ଚଳାଇଥିଲା, ଯେଉଁଥିରେ ୪ ଜଣ ସୁଟରଙ୍କ ମୃତ୍ୟୁ ଘଟିଥିଲା । ମ୍ୟୁଜିକ୍ ପ୍ରଡ୍ୟୁସରରୁ ଗ୍ୟାଙ୍ଗଷ୍ଟର ବନିଥିବା ଦୀପକ ନାନ୍ଦଲ ବର୍ତ୍ତମାନ ବିଦେଶରେ ରହି ନିଜର କଳା ସାମ୍ରାଜ୍ୟ ଚଳାଉଛି । ଗୁରୁଗ୍ରାମ ଏବଂ ଆଖପାଖ ଅଞ୍ଚଳରେ ବିଲ୍ଡର, ଗାୟକ ଏବଂ ବ୍ୟବସାୟୀଙ୍କୁ ଟାର୍ଗେଟ୍ କରି ବଟି ଆଦାୟ କରିବା ଏବଂ ଗୁଳିକାଣ୍ଡ ଭିଆଇବା ତା’ ଗ୍ୟାଙ୍ଗର ମୁଖ୍ୟ କାମ । ପୋଲିସ ଘଟଣାସ୍ଥଳରୁ ବେଆଇନ ମାରଣାସ୍ତ୍ର ଓ ବ୍ୟବହୃତ ଗାଡ଼ି ଜବତ କରିଛି । ହରିୟାଣା ପୋଲିସ ଏହି ଗ୍ୟାଙ୍ଗର ନେଟୱର୍କକୁ ସମ୍ପୂର୍ଣ୍ଣ ଧ୍ୱଂସ କରିବା ପାଇଁ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି ।




