ରାଜ୍ୟ

ବିବାଦ ଭିତରେ ବିଦେଶ ମାଟିରେ ଇସ୍କନର ଅଦିନିଆ ରଥଯାତ୍ରା, ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଗଭୀର ଉଦବେଗ ପ୍ରକାଶ

ପୁରୀରେ ପ୍ରତିବାଦ, ବିଦେଶରେ ରଥଯାତ୍ରା । ବିବାଦ ଭିତରେ ବିଦେଶ ମାଟିରେ ଇସ୍କନର ‘ଅଦିନିଆ ରଥଯାତ୍ରା । ଶାସ୍ତ୍ରୀୟ ତିଥି ଏବଂ ଶ୍ରୀମନ୍ଦିରର ପରମ୍ପରାକୁ ନେଇ ବିବାଦ ଦେଖାଦେଇଥିବାବେଳେ ଗତକାଲି ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଇସ୍କନ ପକ୍ଷରୁ ‘ଅଦିନିଆ ରଥଯାତ୍ରା’ ଅନୁଷ୍ଠିତ ହୋଇଯାଇଛି । ଇସ୍କନ ପକ୍ଷରୁ ନିଜ ସୁବିଧା ଅନୁସାରେ ଆୟୋଜିତ ଏହି ରଥଯାତ୍ରା ଏବେ ଏକ ବଡ଼ ବିବାଦର ରୂପ ନେଇଛି । ଶ୍ରୀକ୍ଷେତ୍ରର ଚନ୍ଦ୍ର ପଞ୍ଜିକା ବା ତିଥିକୁ ନମାନି ପ୍ରବାସୀ ଭାରତୀୟଙ୍କ ସୁବିଧା ଅନୁସାରେ ଏହି ଉତ୍ସବ କରାଯାଉଥିବାରୁ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଗଭୀର ଉଦବେଗ ପ୍ରକାଶ ପାଇଛି । କାନାଡାର ଟରଣ୍ଟୋ ସହରରେ ଜୁଲାଇ ୧୦ରୁ ୧୨ରେ ୫୪ତମ ବାର୍ଷିକ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା । ୟୋଙ୍ଗ୍ ଷ୍ଟ୍ରିଟରେ ଭବ୍ୟ ଶୋଭାଯାତ୍ରା ସହ ୧୨ ଘଣ୍ଟାର କୀର୍ତ୍ତନ, ଯୋଗ ଏବଂ ମହାପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।

ସେହିପରି ଅଷ୍ଟ୍ରେଲିଆ କୁଇନ୍ସଲ୍ୟାଣ୍ଡର ଗୋଲ୍ଡ କୋଷ୍ଟ ଏବଂ ନ୍ୟୁ ସାଉଥ ୱେଲ୍ସର ନ୍ୟୁ ଗୋକୁଳଠାରେ ଗତକାଲି ରଥଯାତ୍ରା ଅନୁଷ୍ଠିତ ହୋଇଛି । ନ୍ୟୁଜିଲାଣ୍ଡ ଅକଲାଣ୍ଡଠାରେ ମଧ୍ୟ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଗତକାଲି ରଥଯାତ୍ରା କରାଯାଇଛି । ଏହାସହ ଇଂଲଣ୍ଡର ସାଉଥେଣ୍ଡ-ଅନ୍-ସି, ମିଲଟନ୍ କେନ୍ସ ଏବଂ ସ୍କଟଲ୍ୟାଣ୍ଡର ଗ୍ଲାସଗୋ ସହରରେ ଶ୍ରୀଜିଉଙ୍କ ରଥଯାତ୍ରା ଧୂମଧାମରେ ପାଳିତ ହୋଇଛି । ଏହି ସବୁ ସ୍ଥାନରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ରଥରେ ବିଜେ କରାଇ ହରିନାମ ସଂକୀର୍ତ୍ତନ ଓ ନୃତ୍ୟର ଆୟୋଜନ କରାଯାଇଥିଲା । ଯେଉଁଥିରେ ହଜାର ହଜାର ଭକ୍ତ ସାମିଲ ହୋଇଥିଲେ । ସଂସ୍ଥାର ପ୍ରତିଷ୍ଠାତା ଶ୍ରୀଲ ପ୍ରଭୁପାଦଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେମାନେ ଜଗନ୍ନାଥ ସଂସ୍କୃତିକୁ ବିଶ୍ୱବ୍ୟାପୀ କରିବାକୁ ଚାହୁଁଛନ୍ତି। ବିଦେଶ ମାଟିରେ ଭୌଗୋଳିକ ଓ ପ୍ରଶାସନିକ ସମସ୍ୟା ଥିବାରୁ ସେମାନେ ସେଠାକାର ନିୟମ ଓ ଲୋକଙ୍କ ସୁବିଧା ଅନୁସାରେ ଏହାକୁ ପାଳନ କରୁଛନ୍ତି । ଯାହା ଉତ୍ସବର ସାର୍ବଜନୀନ ଭାବନା ସହ ଜଡ଼ିତ।

ଅନ୍ୟପଟେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସମେତ ଅଗଣିତ ଓଡ଼ିଆ ଓ ପାରମ୍ପରିକ ଭକ୍ତ ଏହାର ଘୋର ବିରୋଧ କରିଛନ୍ତି ।  ସେମାନଙ୍କ କହିବା କଥା, ଶାସ୍ତ୍ରୀୟ ତିଥିକୁ ବଦଳାଇ ନିଜ ମନମୁଖୀ ତାରିଖରେ ରଥଯାତ୍ରା କରିବା ଦ୍ୱାରା ଶହ ଶହ ବର୍ଷର ପରମ୍ପରା ଓ ଶ୍ରୀମନ୍ଦିରର ପବିତ୍ରତା ନଷ୍ଟ ହେଉଛି । ଧାର୍ମିକ ଭାବନାକୁ ସମ୍ମାନ ଦେଇ ଇସ୍କନ ପୁରୀ ଶ୍ରୀମନ୍ଦିରର ପଞ୍ଜିକା ଅନୁସାରେ ହିଁ ରଥଯାତ୍ରା କରୁ ବୋଲି ଦାବି ଜୋର ଧରିଛି ।

Leave a Reply

Your email address will not be published. Required fields are marked *

Back to top button