ମନୋରଞ୍ଜନ

୫ ବର୍ଷ ପରେ ବି ଶେଷ ହୋଇନି ମାମଲା, ରାଜ କୁନ୍ଦ୍ରାଙ୍କ ଦାବି– ‘ଦୋଷୀ ପ୍ରମାଣିତ ହେଲେ କଠୋରତମ ଦଣ୍ଡ ଭୋଗିବି’

ପାଞ୍ଚ ବର୍ଷ ପରେ ମୁହଁ ଖୋଲିଲେ ରାଜ କୁନ୍ଦ୍ରା । କହିଲେ ଯଦି ମୁଁ  ଦୋଷୀ ମୋତେ ଦଣ୍ଡ ମିଳୁ । ୨୦୨୧ ମସିହାରେ ଅଶ୍ଳୀଳ ବିଷୟବସ୍ତୁ ସମ୍ବନ୍ଧୀୟ ମାମଲାରେ ଗିରଫ ହୋଇଥିବା ବ୍ୟବସାୟୀ ରାଜ କୁନ୍ଦ୍ରା ପୁଣିଥରେ ଏହି ମାମଲାକୁ ନେଇ ମୁଖ ଖୋଲିଛନ୍ତି। ଘଟଣାର ପ୍ରାୟ ପାଞ୍ଚ ବର୍ଷ ବିତିଯାଇଥିଲେ ମଧ୍ୟ ମାମଲାର ଶୁଣାଣି ଜାରି ରହିଛି। ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ଏହି ମାମଲା ତାଙ୍କ ବ୍ୟବସାୟ, ପରିବାର ଓ ବ୍ୟକ୍ତିଗତ ଜୀବନକୁ ଗଭୀର ଭାବେ ପ୍ରଭାବିତ କରିଛି ।

ରାଜ କୁନ୍ଦ୍ରାଙ୍କ କହିବା ଅନୁସାରେ, ଗିରଫ ପରେ ସେ ପ୍ରାୟ ୬୩ ଦିନ ଆର୍ଥର ରୋଡ୍ ଜେଲରେ ରହିଥିଲେ। ସେହି ସମୟ ପରେ ସେ ଏବଂ ତାଙ୍କ ପତ୍ନୀ ଶିଳ୍ପା ସେଟ୍ଟୀ ଅନେକ ବ୍ୟବସାୟ ବନ୍ଦ କରିବାକୁ ବାଧ୍ୟ ହୋଇଥିବା ଦାବି କରିଛନ୍ତି। ତାଙ୍କ କହିବା ଅନୁଯାୟୀ, ଏହା ଫଳରେ ହଜାର ହଜାର କର୍ମଚାରୀଙ୍କ ଜୀବିକା ପ୍ରଭାବିତ ହୋଇଥିଲା।

ସାକ୍ଷାତକାରରେ ରାଜ କୁନ୍ଦ୍ରା ନିଜକୁ ନିର୍ଦ୍ଦୋଷ ବୋଲି ଦାବି କରି କହିଛନ୍ତି, “ଯଦି ମୁଁ ଦୋଷୀ ପ୍ରମାଣିତ ହୁଏ, ତେବେ ମୋତେ କଠୋରତମ ଦଣ୍ଡ ଦିଆଯାଉ। କିନ୍ତୁ ଯଦି ମୁଁ ନିର୍ଦ୍ଦୋଷ, ତେବେ ମୋତେ ସମ୍ମାନ ସହିତ ମୁକ୍ତ କରାଯିବା ଉଚିତ।” ସେ ଆହୁରି କହିଛନ୍ତି ଯେ ଦୀର୍ଘ ସମୟ ଧରି ମାମଲା ଝୁଲି ରହିବା ତାଙ୍କ ପାଇଁ ମାନସିକ ଓ ବୃତ୍ତିଗତ ଭାବେ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

ଜେଲରେ ବିତାଇଥିବା ୬୩ ଦିନକୁ ସ୍ମରଣ କରି ସେ କହିଛନ୍ତି ଯେ, ସେହି ସମୟ ତାଙ୍କ ଜୀବନର ସବୁଠାରୁ କଷ୍ଟଦାୟକ ସମୟ ଥିଲା। ତେବେ ସେହି ଅନୁଭବ ତାଙ୍କୁ ଜୀବନର ଅନେକ ବାସ୍ତବ ଶିକ୍ଷା ଦେଇଥିବା କଥା ମଧ୍ୟ ସେ କହିଛନ୍ତି ।

ତେବେ ରାଜ କୁନ୍ଦ୍ରାଙ୍କ ବିରୋଧରେ ଥିବା ମାମଲାର ନ୍ୟାୟିକ ପ୍ରକ୍ରିୟା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ସେହିପରି ତାଙ୍କ ନିର୍ଦ୍ଦୋଷତା ସମ୍ବନ୍ଧୀୟ ଦାବି ତାଙ୍କ ପକ୍ଷର ବକ୍ତବ୍ୟ ମାତ୍ର କିନ୍ତୁ ଅନ୍ତିମ ନିଷ୍ପତ୍ତି ଅଦାଲତଙ୍କ ଉପରେ ନିର୍ଭର କରିବ।

ଏହାଛଡ଼ା, ₹୧୫୦ କୋଟିର ବିଟକଏନ୍ ସମ୍ବନ୍ଧୀୟ ଅନ୍ୟ ଏକ ମାମଲାରେ ମଧ୍ୟ ରାଜ କୁନ୍ଦ୍ରା ଅଭିଯୁକ୍ତ ଅଛନ୍ତି । ସେହି ମାମଲାରେ ତାଙ୍କୁ ଜାମିନ ମିଳିଛି ଏବଂ ତଦନ୍ତରେ ସହଯୋଗ କରୁଥିବାକୁ ଧ୍ୟାନରେ ରଖି ଅଦାଲତ ତାଙ୍କୁ ଏହି ରିହାତି ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *

Back to top button