ସ୍ୱାସ୍ଥ୍ୟ

ପିରିୟଡ୍‌ ସମୟରେ କୋଲ୍ଡ ଡ୍ରିଙ୍କ୍ସ ପିଉଛନ୍ତି କି? ଜାଣନ୍ତୁ ଏହାର ପ୍ରଭାବ

ମାସିକ ଋତୁସ୍ରାବ ବା ପିରିୟଡ୍‌ ସମୟରେ ଅନେକ ମହିଳାଙ୍କର ପେଟ ଯନ୍ତ୍ରଣା, କମର ଯନ୍ତ୍ରଣା, ଥକ୍କା, ମନ ଖରାପ ହେବା ଭଳି ସମସ୍ୟା ଦେଖାଯାଏ । ଏହି ସମୟରେ ଖାଦ୍ୟ ଓ ପାନୀୟ ଉପରେ ବିଶେଷ ଧ୍ୟାନ ଦେବା ଦରକାର । ବିଶେଷକରି ଅଧିକ ଥଣ୍ଡା ପାନୀୟ ବା କୋଲ୍ଡ ଡ୍ରିଙ୍କ୍ସ ପିଇବା ଅଭ୍ୟାସ ଥିଲେ ସାବଧାନ ହେବା ଆବଶ୍ୟକ ।

କୋଲ୍ଡ ଡ୍ରିଙ୍କ୍ସରେ ଅଧିକ ପରିମାଣରେ ଚିନି, କାର୍ବୋନେଟେଡ୍ ଗ୍ୟାସ୍ ଓ କ୍ୟାଫେନ୍ ଥାଏ । ଏହା ଶରୀରରେ କିଛି ପ୍ରଭାବ ପକାଇପାରେ । ମାସିକ ଋତୁସ୍ରାବ ସମୟରେ ଯଦି ଅଧିକ କୋଲ୍ଡ ଡ୍ରିଙ୍କ୍ସ ପିଉଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ ନଚେତ୍ ପେଟ ଫୁଲିବା, ଗ୍ୟାସ୍ ହେବା ଓ ଅନେକ ଅସୁବିଧାରେ ପଡ଼ିପାରନ୍ତି ।

ପିରିୟଡ୍ ସମୟରେ ଗର୍ଭାଶୟରେ ସଂକୋଚନ ହେବା କାରଣରୁ ପେଟ ଯନ୍ତ୍ରଣା ହୋଇଥାଏ । ଥଣ୍ଡା ପାନୀୟ ପିଇଲେ ଏହି ଯନ୍ତ୍ରଣା ସିଧାସଳଖ ବଢ଼ିଯାଏ ବୋଲି ପ୍ରମାଣିତ ନୁହେଁ, କିନ୍ତୁ କୋଲ୍ଡ ଡ୍ରିଙ୍କ୍ସରେ ଥିବା ଚିନି ଓ କ୍ୟାଫେନ୍ କେତେକ ଲୋକଙ୍କ ଶରୀରରେ ଅସୁବିଧା ବଢ଼ାଇପାରେ । ତେଣୁ ଏହି ସମୟରେ ଏହାକୁ ସୀମିତ ପରିମାଣରେ ପିଇବା ଭଲ ।

ମାସିକ ଋତୁସ୍ରାବ ସମୟରେ ଶରୀରକୁ ଅଧିକ ପାଣି ଓ ପୋଷକ ତତ୍ତ୍ୱର ଆବଶ୍ୟକତା ଥାଏ । କୋଲ୍ଡ ଡ୍ରିଙ୍କ୍ସ ବଦଳରେ ଗରମ ପାଣି, ହର୍ବାଲ୍ ଚା, ନଡ଼ିଆ ପାଣି କିମ୍ବା ତାଜା ଫଳର ରସ ପିଇପାରିବେ । ଏହା ଶରୀରକୁ ହାଇଡ୍ରେଟ୍ ରଖିବା ସହ ଥକାଣ କମାଇବାରେ ସାହାଯ୍ୟ କରେ ।

ଏହି ସମୟରେ ଅଧିକ ତେଲିଆ, ଜଙ୍କ ଫୁଡ୍ ଓ ଅଧିକ ଚିନି ଥିବା ଖାଦ୍ୟରୁ ମଧ୍ୟ ଦୂରେ ରହିବା ଭଲ । ଏହା ଖାଇବା ବଦଳରେ ଫଳ, ସବୁଜ ପନିପରିବା, ଡ୍ରାଏଫ୍ରୁଟ୍ସ, ଲୋହ ଓ କ୍ୟାଲସିୟମ୍ ଥିବା ଖାଦ୍ୟ ଖାଇବା ଉପକାରୀ ।

ଯଦି ପିରିୟଡ୍ ସମୟରେ ଅତ୍ୟଧିକ ପେଟ ଯନ୍ତ୍ରଣା, ଅଧିକ ରକ୍ତସ୍ରାବ କିମ୍ବା ଅସହ୍ୟ ଅସୁବିଧା ହୁଏ, ତେବେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ। ମାସିକ ଋତୁସ୍ରାବ ସମୟରେ କୋଲ୍ଡ ଡ୍ରିଙ୍କ୍ସ ନ ପିଇ ସୁସ୍ଥ ଖାଦ୍ୟ ଓ ପର୍ଯ୍ୟାପ୍ତ ପାଣି ପିଇଲେ ଶରୀରକୁ ଭଲ ରଖିପାରିବ ଏବଂ ଆପଣଙ୍କୁ ମଦ୍ୟ ରିଲାକ୍ସ ଫିଲ୍ ହେବ ।

Leave a Reply

Your email address will not be published. Required fields are marked *

Back to top button