ଦୁର୍ଘଟଣା
ପଟିଆ ଜୟଦେବ ବିହାର ମୁଖ୍ୟ ରାସ୍ତାରେ ସଡ଼କ ଦୁର୍ଘଟଣା, କାର ଧକ୍କାରେ ଅଟୋ ଚୁରମାର

ରାଜଧାନୀର ପଟିଆ ଜୟଦେବ ବିହାର ମୁଖ୍ୟ ରାସ୍ତାରେ ଘଟିଛି ସଡ଼କ ଦୁର୍ଘଟଣା । ହୋଟେଲ ଟ୍ରାଇଡେଣ୍ଟ ସମ୍ମୁଖରେ ଏକ ଅଟୋକୁ ପଛପଟୁ ଧକ୍କା ଦେଲା କାର । ଧକ୍କା ଏତେ ଜୋରଦାର ଥିଲା ଯେ ଅଟୋଟି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଛି । ଦୁର୍ଘଟଣାରେ ଦୁଇଜଣ ଆହତ ହୋଇଥିବା ସୂଚନା ମିଳିଛି । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲକୁ ପଠାଇଛନ୍ତି । ଦୁର୍ଘଟଣା ପରେ ଘଟଣାସ୍ଥଳରେ କିଛି ସମୟ ପାଇଁ ଆତଙ୍କର ପରିବେଶ ସୃଷ୍ଟି ହୋଇଥିଲା ।
ଦୁର୍ଘଟଣା ପରେ କିଛି ସମୟ ପର୍ଯ୍ୟନ୍ତ ପଟିଆ–ଜୟଦେବ ବିହାର ରାସ୍ତାରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରାଫିକ୍ ସ୍ୱାଭାବିକ କରିବା ସହ ଦୁର୍ଘଟଣାଗ୍ରସ୍ତ ଯାନଗୁଡ଼ିକୁ ହଟାଇଥିଲା । କାରଟି କେଉଁ କାରଣରୁ ନିୟନ୍ତ୍ରଣ ହରାଇ ଅଟୋକୁ ଧକ୍କା ଦେଲା, ତାହାର ତଦନ୍ତ ଆରମ୍ଭ କରିଛି ପୋଲିସ । ସିସିଟିଭି ଫୁଟେଜ୍ ଓ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନକୁ ଆଧାର କରି ଘଟଣାର ପ୍ରକୃତ କାରଣ ଖୋଜାଯାଉଛି ।




