ସର୍ଜରୀ ହୋଇନି, ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ବିଗ୍ ବି, ଗୁଜବ ଉପରେ ଲାଗିଲା ରୋକ୍

ବଲିଉଡ ମେଗାଷ୍ଟାର ଅଭିତାଭ ବଚ୍ଚନ ଏକ ବ୍ଲଗ ପୋଷ୍ଟକୁ ନେଇ ଏବେ ଶିରୋନାମା ସୃଷ୍ଟି କରିଛନ୍ତି । ଯେଉଁ ଭିଡିଓରେ ଅପରେସନ୍, ଆଇସିୟୁ ଏବଂ ଡିସଚାର୍ଜକୁ କଥା କହିଥିବା ଦେଖିବାକୁ ମିଳିଥିଲା । ଏଥିସହ ମାନସିକ, ଶାରୀରିକ ଏବଂ ବ୍ୟବହାରିକ ଭାବେ ସମୟ କଷ୍ଟକର ବୋଲି ମଧ୍ୟ କହିଥିଲେ । ଅମିତାଭଙ୍କ ଏହି ଭିଡିଓ ସାମ୍ନାକୁ ଆସିବା ପରେ ତାଙ୍କ ପ୍ରଶଂସକମାନଙ୍କର ଚିନ୍ତା ବଢିଯାଇଥିଲା । ଏହାରି ମଧ୍ୟରେ ଅମିତାଭ ଏହି ଘଟଣାର ସ୍ପଷ୍ଟୀକରଣ ରଖିଛନ୍ତି ।
ଅମିତାଭ ସ୍ପଷ୍ଟ କରିଛନ୍ତି ଯେ, ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ତାଙ୍କର କୌଣସି ଅପରେସନ୍ ହୋଇନାହିଁ । ସେ କହିଛନ୍ତି ଯେ, ଲୋକମାନେ ତାଙ୍କ ବିଚାରକୁ ଭୁଲ ବୁଝିଛନ୍ତି । ପୋଷ୍ଟଟି ପ୍ରକୃତରେ ତାଙ୍କ ନିଜ ସ୍ୱାସ୍ଥ୍ୟ ବିଷୟରେ ନୁହେଁ, ବରଂ ଆର୍ଜେଣ୍ଟିନାର ସ୍ପେନ୍ ବିପକ୍ଷରେ ପରାଜୟ ପରେ ଷ୍ଟାର ଫୁଟବଲ୍ ଖେଳାଳି ଲିଓନେଲ୍ ମେସିଙ୍କ ମାନସିକ ଅବସ୍ଥାର ଏକ ଉଦାହରଣ ଥିଲା । ସେ ଏହା ମଧ୍ୟ କହିଛନ୍ତି ଯେ, ଯେତେବେଳେ ଜଣେ ଚାମ୍ପିଆନ୍ ହାରିଯାଆନ୍ତି ସେମାନଙ୍କ ମାନସିକ ଅବସ୍ଥା ଗୁରୁତର ଅସୁସ୍ଥତା କିମ୍ବା ଅପରେସନ୍ ହୋଇ ଘରକୁ ଫେରିଥିବା ରୋଗୀ ଭଳି ଅନୁଭବ ହୋଇଥାଏ । ପରାଜୟ ପରେ ସୁସ୍ଥ ହେବା ଏବଂ ସାଧାରଣ ଜୀବନକୁ ଫେରିବା କେତେ ଚ୍ୟାଲେଞ୍ଜିଂ ତାହା ଦର୍ଶାଇବା ପାଇଁ ସେ ହସ୍ପିଟାଲର ଉଦାହରଣ ବ୍ୟବହାର କରିଥିଲେ । ଅମିତାଭ ଭିଡିଓରେ ମେସିଙ୍କ ନାଁ ନେଇନଥିବାରୁ ପ୍ରଶଂସକମାନେ ଭୁଲ ବୁଝିବା ସହ ତାଙ୍କ ଅସୁସ୍ଥତା ପାଇଁ ଚିନ୍ତା ପ୍ରକାଶ କରିଥିଲେ । ଅମିତାଭଙ୍କର ଏହି ବ୍ଲଗ୍ ଗୁଜବ ସୃଷ୍ଟି କରି ଭାଇରାଲ ହେବାରେ ଲାଗିଥିଲା । ଏବେ ଏହି ଗୁଜବ ଖବରଟିକୁ ବିଗ୍ ବି ହସି ହସି ଖାରଜ କରିଛନ୍ତି ।
ସେପଟେ ଅମିତାଭ ବଚ୍ଚନ ସମସ୍ତ ଗୁଜବକୁ ଖାରଜ କରି ନିଶ୍ଚିତ କରିଛନ୍ତି ଯେ, ସେ ସମ୍ପୂର୍ଣ୍ଣ ସୁସ୍ଥ ଏବଂ କାମରେ ବ୍ୟସ୍ତ ଅଛନ୍ତି । ପ୍ରଶଂସକମାନେ ତାଙ୍କୁ ଖୁବ୍ ଶୀଘ୍ର ଲୋକପ୍ରିୟ ଶୋ କୌନ ବନେଗା କରୋଡପତି ଶୋର ନୂଆ ସିଜିନର ହୋଷ୍ଟ ଭାବରେ ଦେଖିବେ । ଯାହା ଅଗଷ୍ଟ ୧୦ ରେ ପ୍ରସାରିତ ହେବାକୁ ଯାଉଛି । ଏହା ବ୍ୟତୀତ ଫିଲ୍ମ କଲ୍କି 2898 AD ର ସିକ୍ୱେଲରେ ଦମଦାର ଭୂମିକା ଅଶ୍ୱତ୍ଥାମାକୁ ପୁନଃନିର୍ମାଣ କରିବେ । ନାଗ ଅଶ୍ୱିନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ପ୍ରଭାସ ଏବଂ କମଲ ହାସନଙ୍କୁ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବାର ଦେଖିବାକୁ ପାଇବେ ଦର୍ଶକ ।




