ରାଜ୍ୟ

Lower suktel project : ଲୋୟର ସୁକତେଲ ପ୍ରକଳ୍ପ ପାଇଁ ବିସ୍ଥାପନକୁ ବିରୋଧ, ୭ ଜଣ ମୁଖିଆଙ୍କୁ ଉଠାଇ ନେଲା ପୋଲିସ

ବଲାଙ୍ଗୀରର ଲୋୟର ସୁକତେଲ ପ୍ରକଳ୍ପ ପାଇଁ ବିସ୍ଥାପନକୁ କୁମିଆପାଲିରେ ତୀବ୍ର ବିରୋଧ । ଲୋଇସିଂହା ବ୍ଲକ କୁମିଆଁପାଲି ଗାଁରେ ଉତ୍ତେଜନା । ତିନିଦିନ ହେବ ଗାଁ ମଣ୍ଡପରେ ଅସ୍ତ୍ରଶସ୍ତ୍ର ଧରି ଆନ୍ଦୋଳନରେ ବସିଥିଲେ ୮୪ ଟି ଆଦିବାସୀ ପରିବାର । ସେମାନଙ୍କ ଭିତରୁ ସାତ ଜଣ ମୁଖିଆଙ୍କୁ ଗତକାଲି ବିଳମ୍ବିତ ରାତିରେ ପୋଲିସ ଉଠେଇ ନେଇଥିବା ଅଭିଯୋଗ ହୋଇଛି ।  ରାତିରେ ମଧ୍ୟ ଗାଁ ଲୋକେ ମଣ୍ଡପରେ ଶୋଇଥିଲେ । ଅନ୍ଧାର ରାତିରେ ପହଞ୍ଚିଥିଲା ପୋଲିସ ଫୋର୍ସ । ଆଉ ଜଣ ଜଣ କରି ସାତ ଜଣଙ୍କୁ ଉଠେଇ ନେଇଥିଲା ।  ଗୋଟିଏ ପଟେ ଡ୍ୟାମ ପାଣି ମାଡି ଆସୁଥିବା ବେଳେ, ଆଦିବାସୀ ମାନେ ଗାଁ ଛାଡିବାକୁ ନାରାଜ । ଗତକାଲି ଅତିରିକ୍ତ ଜିଲ୍ଲାପାଳ, ଉପ-ଜିଲ୍ଲାପାଳ ବହୁତ ବୁଝାସୁଝା କରିବା ପରେ ମଧ୍ୟ ମାନିନଥିଲେ । ଫଳରେ ରାତିରେ ପୋଲିସ ପ୍ରଶାସନ ଆନ୍ଦୋଳନକାରୀଙ୍କ ମୁଖିଆଙ୍କୁ ଉଠାଇ ନେଇଛି ।  ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି ।

ବିସ୍ଥାପିତଙ୍କ ଅଭିଯୋଗ, ଦୀର୍ଘଦିନ ଧରି ସେମାନଙ୍କ ଦାବି ଓ ସମସ୍ୟାର ସମାଧାନ ହେଉନଥିବା ବେଳେ ପ୍ରଶାସନ ଆଲୋଚନା ବଦଳରେ ବଳ ପ୍ରୟୋଗର ରାସ୍ତା ଆପଣାଇଛି ।  ଅନ୍ୟପଟେ, ପ୍ରକଳ୍ପ କାର୍ଯ୍ୟକୁ ଆଗକୁ ବଢ଼ାଇବା ପାଇଁ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ା କରାଯାଇଥିବା ସୂଚନା ମିଳିଛି ।  ତେବେ ପୋଲିସ ପକ୍ଷରୁ ଏହି ଘଟଣା ନେଇ ଆନୁଷ୍ଠାନିକ ପ୍ରତିକ୍ରିୟା ଆସିବା ବାକି ରହିଛି ।

Leave a Reply

Your email address will not be published. Required fields are marked *

Back to top button