Virushka in Vrindavan : କାଦୁଅରେ ଖାଲିପାଦରେ ଚାଲି ରାଧା ଆଶ୍ରମରେ ପହଞ୍ଚିଲେ ବିରୁଷ୍କା, ପ୍ରେମାନନ୍ଦ ମହାରାଜଙ୍କ ଠାରୁ ନେଲେ ଆଶୀର୍ବାଦ

ଭାରତୀୟ କ୍ରିକେଟ ଟିମର କିଙ୍ଗ ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ପୁଣିଥରେ ଆଧ୍ୟାତ୍ମିକ ନଗରୀ ବୃନ୍ଦାବନରେ ପହଞ୍ଚିଛନ୍ତି । ଦୁହେଁ ସନ୍ତ ପ୍ରେମାନନ୍ଦ ମହାରାଜଙ୍କ ଶ୍ରୀ ହିତ ରାଧା କେଳିକୁଞ୍ଜ ଆଶ୍ରମରେ ପହଞ୍ଚି ଆଶୀର୍ବାଦ ନେଇଛନ୍ତି । ଆଶ୍ରମ ଯାଏଁ ପହଞ୍ଚିବା ପାଇଁ ଦୁହେଁ କାଦୁଅ ପଚପଚ ରାସ୍ତାରେ ଖାଲିପାଦରେ ଚାଲି ପହଞ୍ଚିଛନ୍ତି । ଦୁହିଁଙ୍କ ସରଳତାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଛି । ଗୁରୁ ପୂର୍ଣ୍ଣିମାର ଠିକ୍ ପୂର୍ବରୁ ଆଶ୍ରମକୁ ଦୁହିଁଙ୍କୁ ଦେଖି ଫ୍ୟାନ୍ସ ଖୁସି ହୋଇଛନ୍ତି ।
କୋହଲି ନିକଟରେ ଇଂଲଣ୍ଡ ବିପକ୍ଷ ସିରିଜରେ ବେଶ୍ ଭଲ ପ୍ରଦର୍ଶନ କରିଥିଲେ । ଭାଇରଲ ଭିଡିଓରେ ବିରାଟ ଓ ଅନୁଷ୍କା ଆଶ୍ରମ ପରିସରରୁ ବାହାରୁଥିବାର ନଜର ଆସିଛନ୍ତି । ଦୁହେଁ ବହୁତ ସରଳତାର ସହିତ ନିଜ କାରରୁ ବାହାରି କାଦୁଅ ପଚପଚ ରାସ୍ତାରେ ଖାଲିପାଦରେ ଚାଲିଯାଇଥିଲେ । ଏଠାରେ ଉପସ୍ଥିତ ଥିବା ଲୋକ ରାଧେ-ରାଧେ କହି ଅଭିବାଦନ କରିଥିଲେ । ତାଙ୍କ ବ୍ୟବହାର ବୃନ୍ଦାବନବାସୀ ଏବଂ ସୋସିଆଲ ମିଡିଆ ଫ୍ୟାନ୍ସଙ୍କୁ ବହୁତ ପସନ୍ଦ ଆସିଥିଲା ।
ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ଗତ କିଛିବର୍ଷରେ ଅନେକ ଥର ବୃନ୍ଦାବନ ପହଞ୍ଚିଛନ୍ତି । ଦୁହେଁ ନିଜ ପ୍ରଫେସନାଲ ଜୀବନରୁ କିଛି ସମୟ ବାହାର କରି ପ୍ରେମାନନ୍ଦ ମହାରାଜାଙ୍କ ଆଶୀର୍ବାଦ ନେବାକୁ ଆସୁଛନ୍ତି । ଇଣ୍ଟରନ୍ୟାସନାଲ କ୍ରିକେଟ ସିରିଜ, ବଡ଼ ଟୁର୍ଣ୍ଣାମେଣ୍ଟ ଏବଂ କ୍ୟାରିଅରର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ପୂର୍ବରୁ ଚର୍ଚ୍ଚିତ ଯୋଡି ଆଶ୍ରମ ପହଞ୍ଚିଥିଲେ ।
ଏହାପୂର୍ବରୁ ଆରସିବି ଆଇପିଏଲ ୨୦୨୬ ଟାଇଟଲ ଜିତିବା ପରେ ବିରାଟ ଏବଂ ଅନୁଷ୍କା ବୃନ୍ଦାବନ ପହଞ୍ଚି ପ୍ରେମାନନ୍ଦ ମହାରାଜଙ୍କ ଦର୍ଶନ କରିଥିଲେ । ଏବେ ଗୁରୁ ପୂର୍ଣ୍ଣିମା ପୂର୍ବରୁ ଦୁହେଁ ପୁଣିଥରେ ଆଶ୍ରମ ଯାଇ ଆଶୀର୍ବାଦ ନେଇଛନ୍ତି । ତେବେ ଏହି ଯାତ୍ରାକୁ ନେଇ ଫ୍ୟାନ୍ସ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି । ଅନେକ ୟୁଜର୍ସ ଲେଖିଛନ୍ତି, ଏତେ ଲୋକପ୍ରିୟତା ସତ୍ତ୍ବେ ବିରାଟ ଏବଂ ଅନୁଷ୍କାଙ୍କ ସରଳ ଜୀବନ ଏବଂ ଆଧ୍ୟାତ୍ମିକ ଭାବ ତାଙ୍କୁ ଅନ୍ୟଠାରୁ ଅଲଗା କରୁଛି ।




