Tej Pradtap Yadav in Jail : ୧୪ ଦିନିଆ ନ୍ୟାୟିକ ହେପାଜତକୁ ଗଲେ ତେଜ ପ୍ରତାପ ଯାଦବ

ବିହାର ବନ୍ଦ ବେଳେ ପ୍ରଦର୍ଶନ ବେଳେ ପୋଲିସ ସହ ମୁହାଁମୁହିଁ ମାମଲାରେ ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ ଯାଦବଙ୍କୁ ପୋଲିସ ଗିରଫ କରିଛି । ମାମଲାରେ ତେଜ ପ୍ରତାପ ଯାଦବଙ୍କୁ ପୋଲିସ ଗିରଫ କରି ଜେଲ୍ ପଠାଇ ଦେଇଛି । ଶନିବାର ବିଳମ୍ବିତ ରାତ୍ରରେ ତାଙ୍କୁ ଗିରଫ କରାଯିବା ପରେ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ଉପସ୍ଥିତ କରାଯାଇଥିଲା । ଏହାପରେ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।
ଖବର ମୁତାବକ, ନିଟ୍ ପେପର ଲିକ୍ ଏବଂ ପ୍ରଦର୍ଶନକାରୀଙ୍କ ଉପରେ ପୋଲିସର ଆକ୍ରମଣକୁ ବିରୋଧ କରି ଶନିବାର ବିହାର ବନ୍ଦ ଡାକରା ଦିଆଯାଇଥିଲା । ତେଜ୍ ପ୍ରତାପ ବନ୍ଦ ସମର୍ଥନରେ ଛାତ୍ରଙ୍କ ସହ ରାମଗୁଲାମ ଛକରେ ପହଁଚିବା ସହ ରାସ୍ତାରେ ଧାରଣା ଦେଇଥିଲେ । ଏହାପରେ ପ୍ରଦର୍ଶନକାରୀ ଡାକବଙ୍ଗଳା ଛକ ଆଡେ ଶୋଭାଯାତ୍ରା ବାହାର କରିଥିଲେ । କିନ୍ତୁ ପ୍ରଦର୍ଶନୀ ପଥ ନିକଟରେ ସେମାନଙ୍କୁ ଅଟକ ରଖାଯାଇଥିଲା । ଘଟଣା ପରେ ତେଜ ପ୍ରତାପ ସନ୍ଧ୍ୟାରେ ଏକ ସପିଂ ମଲ୍ ଯାଇଥିଲେ । ସେଠାରେ ପାଟନା ପୋଲିସର ଏକ ଟିମ୍ ପହଁଚି ତାଙ୍କୁ ଗିରଫ କରିଥିଲା ।
ପୋଲିସ ଗିରଫ କରି ନେବା ବେଳେ ତେଜ ପ୍ରତାପ ଯାଦବ ପୋଲିସ ଗାଡ଼ିରେ ଯିବା ବେଳେ କହିଥିଲେ, ଆମେ ଛାତ୍ରମାନଙ୍କ ସହିତ କାନ୍ଧରେ କାନ୍ଧ ମିଶାଇ ରହିଛୁ । ଯଦି ଆବଶ୍ୟକତା ପଡେ, ଛାତ୍ରଙ୍କ ଅଧିକାର ପାଇଁ ନିଜ ଜୀବନ ଦେବାକୁ ପ୍ରସ୍ତୁତ ରହିଛୁ । ତେଜ ପ୍ରତାପ ଯାଦବ ପ୍ରଦର୍ଶନରେ ସାମିଲ ହେବା ପୂର୍ବରୁ ନିଟ୍ ପେପର ଲିକ୍ ପ୍ରସଙ୍ଗ ଉପରେ ଛାତ୍ରଙ୍କ ଦାବିକୁ ସମର୍ଥନ କରିଥିଲେ । ସେ ମଧ୍ୟ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧମେର୍ନ୍ଦ୍ର ପ୍ରଧାନଙ୍କ ଇସ୍ତଫା ମାଗିଥିଲେ ।
ସୂଚନାଯୋଗ୍ୟ, ବିହାର ବନ୍ଦ ବେଳେ ଛାତ୍ର ସଙ୍ଗଠନମାନେ ବିଭିନ୍ନ ଜିଲ୍ଲାରେ ବିରୋଧ ପ୍ରଦର୍ଶନ କରିଥିଲେ । ଅନେକ ସ୍ଥାନରେ ପ୍ରଦର୍ଶନକାରୀ ଏବଂ ପୋଲିସ ମୁହାଁମୁହିଁ ହୋଇଥିଲେ । ଅନେକ ସ୍ଥାନରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । କିଛି ସ୍ଥାନରେ ପୋଲିସ ଉପରକୁ ପଥର ମାଡ଼ ମଧ୍ୟ ହୋଇଥିଲା । ଆନ୍ଦୋଳନ ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଥିଲା ।




