ଏସିଆ ମହାଦେଶର ସବୁଠାରୁ ଉଚ୍ଚ ଶିବ ମନ୍ଦିର, ଗଢିବାକୁ ଲାଗିଥିଲା ୪୦ ବର୍ଷ – Sahana Mela

[ad_1]
ନୂଆଦିଲ୍ଲୀ: ଭାରତରେ ଅନେକ ମନ୍ଦିର ରହିଛି । ଏଠାରେ ପ୍ରତି କୋଣ ଅନୁକୋଣରେ ମନ୍ଦିର ଦେଖିବାକୁ ମିଳେ । ଏପରି ଅନେକ ମନ୍ଦିର ଅଛି ଯାହା ଲୋକଙ୍କୁ ଚମତ୍କାରୀ ଏବଂ ରହସ୍ୟମୟ ଲାଗିଥାଏ । ଆଜି ଆମେ ଆପଣଙ୍କୁ ଏମିତି ଏକ ମନ୍ଦିର ବିଷୟରେ କହିବୁ ଯାହା ବିଷୟରେ ଆପଣ ଶୁଣି ଏହା ଏକ ରହସ୍ୟମୟ ମନ୍ଦିର ମଧ୍ୟ କହିବେ । ଏହି ମନ୍ଦିରରେ ପଥରରେ ହାତ ବାଡେଇଲେ ଡମ୍ବରୁ ଶବ୍ଦ ଶୁଭିଥାଏ । ଏହା ଏକ ଶିବ ମନ୍ଦିର, ଯାହାକୁ କୁହାଯାଏ ଏସିଆର ସବୁଠାରୁ ଉଚ୍ଚ ଶିବ ମନ୍ଦିର । ହିମାଚଳ ପ୍ରଦେଶରେ ଅବସ୍ଥିତ ଜଟୋଲି ଶିବ ମନ୍ଦିର ଅତ୍ୟନ୍ତ ସ୍ୱତନ୍ତ୍ର ଅଟେ । ବିଶ୍ୱାସ କରାଯାଏ ଯେ ଭଗବାନ ଶିବ ଏଠାରେ ବାସ କରୁଥିଲେ।
ଶ୍ରାବଣ ମାସରେ ଏହି ମନ୍ଦିରରେ କାଉଡିଆମାନେ ଭିଡ଼ ଜମାଇଥାନ୍ତି । ହିମାଚଳର ସୋଲାନରେ ଥିବା ଜଟୋଲି ଶିବ ମନ୍ଦିର ଏକ ପାହାଡ ଉପରେ ଅବସ୍ଥିତ । ଏହି ମନ୍ଦିର ଦ୍ରାବିଡ ଶୈଳୀରେ ନିର୍ମିତ ଓ ଏହାର ଉଚ୍ଚତା ପ୍ରାୟ ୧୧୧ ଫୁଟ । ମନ୍ଦିର ଉପରେ ଏକ ୧୧ ଫୁଟର ବଡ଼ ସୁନା କଳସ ମଧ୍ୟ ସ୍ଥାପନ କରାଯାଇଛି । ଏହି ମନ୍ଦିରର କାନ୍ଥରେ ବିଭିନ୍ନ ଦେବତାଙ୍କ ମୂର୍ତ୍ତି ଖୋଦିତ ହୋଇଛି ଓ ଭିତରେ ସ୍ଫଟିକ ରତ୍ନ ଶିବଲିଙ୍ଗ ସ୍ଥାପିତ ହୋଇଛି |ଏଠାରେ ଭଗବାନ ଶିବଙ୍କ ସହ ମା’ ପାର୍ବତୀଙ୍କ ମୂର୍ତ୍ତି ମଧ୍ୟ ରହିଛି । ମନ୍ଦିରରେ ଲଗା ଯାଇଥିବା ପଥର ଗୁଡ଼ିକ ଏକ ସ୍ୱତନ୍ତ୍ର ଶବ୍ଦ ମଧ୍ୟ ସୃଷ୍ଟି କରେ | ଯାହା ଡମ୍ବୁରୁର ଶବ୍ଦ ପରି ଲାଗେ । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଭଗବାନ ଶିବ ଆସି ଏହି ସ୍ଥାନରେ ରହିଥିଲେ ଏବଂ ପଥରରୁ ଆସୁଥିବା ଶବ୍ଦ ହେଉଛି ଡମ୍ବୁରୁ ବାଜିବାର ଶବ୍ଦ |
ମନ୍ଦିର ନିକଟରେ ଗୋଟିଏ ଜଳକୁଣ୍ଡ ଅଛି ଏବଂ ଏହି ଜଳକୁଣ୍ଡ ସହ ମଧ୍ୟ ଗୋଟିଏ କାହାଣୀ ଜଡିତ ଅଛି | ୧୯୫୦ ମସିହାରେ ସ୍ୱାମୀ କୃଷ୍ଣାନନ୍ଦ ପରମହଂସ ନାମକ ଜଣେ ସନ୍ଥ ଏଠାକୁ ଆସିଥିଲେ । ସେତେବେଳେ ସୋଲାନରେ ଜଳର ଅଭାବ ଥିଲା ଓ ଜଳ ଅଭାବ ହେତୁ ଲୋକମାନେ ବହୁତ ଯନ୍ତ୍ରଣା ଭୋଗୁଥିଲେ । ଏହିପରି ସମୟରେ ସ୍ୱାମୀ କୃଷ୍ଣାନନ୍ଦ ପରମହଂସ ଘୋର ତପସ୍ୟା କରିଥିଲେ ଓ ତାଙ୍କ ତ୍ରିଶୂଳରେ ଆଘାତ କରି ଏହି ଜଳକୁଣ୍ଡ ନିର୍ମାଣ କରିଥିଲେ। ତ୍ରିଶୁଳ ଭୂମିରେ ଧକ୍କା ହେବା ମାତ୍ରେ ଜଳସ୍ରୋତ ଫୁଟି ଉଠିଲା । ସେଥିରୁ ଏହି ଜଳକୁଣ୍ଡ ଏଠାରେ ନିର୍ମିତ ହୋଇଥିଲା । ଏହି ଜଳକୁଣ୍ଡ ଏପର୍ଯ୍ୟନ୍ତ ଥରେ ମଧ୍ୟ ଶୁଖି ନାହିଁ । ଯେଉଁମାନେ ଏଠାକୁ ଆସି ଏହି ଜଳକୁଣ୍ଡରେ ଥରେ ସ୍ନାନ କରି ନିଅନ୍ତି, ସେମାନେ ଅନେକ ରୋଗରୁ ମୁକ୍ତି ପାଆନ୍ତି | ସନ୍ଥ କୃଷ୍ଣାନନ୍ଦଙ୍କ ମାର୍ଗଦର୍ଶନରେ ଜଟୋଲି ଶିବ ମନ୍ଦିର ନିର୍ମାଣ କରାଯାଇଥିଲା । ସେ ୧୯୭୪ ରେ ଏହି ମନ୍ଦିରର ଶିଳାନ୍ୟାସ କରିଥିଲେ । କିନ୍ତୁ ସେ ୧୯୮୩ ମସିହାରେ ସମାଧି ନେଇଥିଲେ । ତାଙ୍କ ବିଦାୟ ପରେ ମନ୍ଦିର ନିର୍ମାଣକୁ ମନ୍ଦିର ପରିଚାଳନା କମିଟି ସମ୍ଭାଳି ଥିଲେ ।ଏହି ଭବ୍ୟ ମନ୍ଦିର ନିର୍ମାଣ କରିବାକୁ ପ୍ରାୟ ୪୦ ବର୍ଷ ଲାଗି ଯାଇଥିଲା |
[ad_2]