ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ଭିକେ ପାଣ୍ଡିଆନଙ୍କୁ ବହିଷ୍କାର କରାଯାଉ: ବିଜେପି – Sahana Mela
[ad_1]
ଭୁବନେଶ୍ୱର: ରାଜ୍ୟରେ ଆଦର୍ଶ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି । ଏହି ସମୟରେ ସରକାରୀ ଅଧିକାରୀମାନେ ସିଧାସଳଖ ଭାବରେ ରାଜନୈତିକ କାର୍ଯ୍ୟକ୍ରମରେ ଭାଗ ନେଇପାରିବେ ନାହିଁ । ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଯେଉଁ ଅଫିସରମାନଙ୍କ ତାଲିକା ରହିଛି ସେହି ତାଲିକାର ୧ ନମ୍ବରରେ ସ୍ଥାନରେ ଅଛନ୍ତି ଭିକେ ପାଣ୍ଡିଆନ ଯାହା ବଡ ଆଶ୍ଚର୍ଯ୍ୟଜନକ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ୱେବସାଇଟରେ ଏବେ ବି ସେହି ତଥ୍ୟ ଉପଲବ୍ଧ ଅଛି । ପାଣ୍ଡିଆନ ବାବୁ ହେଉଛନ୍ତି ବିଜେଡିର ଜଣେ ନେତା । ସେ ବିଜେଡି ଦଳର ସମସ୍ତ ରାଜନୈତିକ କାର୍ଯ୍ୟକ୍ରମ ସଂଚାଳନ କରୁଛନ୍ତି, ବିଜେଡି ଟିକେଟ୍ ବଣ୍ଟନ ତାଙ୍କ ନିର୍ଦ୍ଦେଶରେ ହେଉଛି । ପାଣ୍ଡିଆନ ବାବୁ ବର୍ତ୍ତମାନ ବିଜେଡିକୁ ନିୟନ୍ତ୍ରଣ କରୁଛନ୍ତି । ଆଶ୍ଚର୍ଯ୍ୟର ବିଷୟ ଯେ, ଆଜି ପର୍ଯ୍ୟନ୍ତ ଭିକେ ପାଣ୍ଡିଆନଙ୍କୁ କିଭଳି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ଅଫିସରଭାବରେ କାମ କରିବା ପାଇଁ ଦିଆଯାଉଛି? ବୋଲି ପ୍ରଶ୍ନ କରିଛନ୍ତି ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ ।
ଶ୍ରୀ ପାଣ୍ଡିଆନ ନେତା ନା ଅଫିସର ତାହା କ’ଣ ସରକାର ଜାଣିପାରୁନାହାନ୍ତି କି? ଯଦି ଶ୍ରୀ ପାଣ୍ଡିଆନ ଅଫିସର ତାଲିକାରେ ୧ ନଂରେ ସ୍ଥାନରେ ଅଛନ୍ତି ତାହାଲେ ଆଚରଣ ବିଧି ଲାଗୁ ହୋଇଥିବାବେଳେ ଶାସକ ଦଳର ରାଜନୈତିକ କାର୍ଯ୍ୟକ୍ରମରେ ରହିପାରିବେ କି? କିଛିଦିନ ତଳେ ନିର୍ବାଚନ କମିଶନ ୫ ଜଣ ଆଇପିଏସ୍ ଅଫିସର ଓ ୨ ଜଣ ଆଇଏଏସ୍ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଏବେ ମୁଖ୍ୟ ଶାସନ ସଚିବ ନିର୍ବାଚନ କମିଶନଙ୍କ ନିୟମକୁ ଅନୁସରଣ କରି ଭିକେ ପାଣ୍ଡିଆନଙ୍କୁ ତୁରନ୍ତ ୫-ଟି ଅଧ୍ୟକ୍ଷ ପଦରୁ ବହିଷ୍କାର କରିବା ସହ ତାଙ୍କ ଉପରେ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ମୁଖପାତ୍ର ଅନିଲ ବିଶ୍ୱାଳ କହିଛନ୍ତି ।
ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ‘ଓଡିଶାରେ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନରେ ମୁଖ୍ୟ ଶାସନ ସଚିବଙ୍କ ବଡ ଭୂମିକା ରହିଛି । ଓଡିଶା ବୋଧହୁଏ ଏକମାତ୍ର ରାଜ୍ୟ ଯେଉଁଠି ଜଣେ ବ୍ୟକ୍ତି ଉଭୟ ଅଫିସର ପଦବୀରେ ଅଛନ୍ତି ଓ ନେତା ହୋଇ ସର୍ବସମ୍ମୁଖରେ ରାଜନୈତିକ କାର୍ଯ୍ୟକଳାପରେ ଭାଗ ନେଉଛନ୍ତି । ନିର୍ବାଚନ ଆଚରଣ ବିଧିର ଏଭଳି ଖୁଲମଖୁଲା ଉଲଙ୍ଘନ କେବେ ହୋଇନାହିଁ । ଦିନେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନିର୍ବାଚନ ପରିଚାଳନାରେ ଜଣେ ଅଫିସରଙ୍କ ସମ୍ପୃକ୍ତି ପାଇଁ ତାଙ୍କର ନିର୍ବାଚନ ଅସିଦ୍ଧ ହୋଇଥିଲା ଓ ଦେଶରେ ଜରୁରୀକାଳିନ ପରିସ୍ଥିତି ଲାଗୁ ହୋଇଥିଲା । ଏବେ ଓଡିଶାରେ ଇନ୍ଦିରା ଗାନ୍ଧୀଙ୍କ ଜରୁରୀକାଳିନ ପରିସ୍ଥିତି ଏପିସୋଡ ରିପିଟ ହେବାକୁ ଯାଉଛି’ ।
ନିକଟରେ ରାଜ୍ୟର ଜଣାଶୁଣା ସୂଚନା ଅଧିକାର ଆଇନ କର୍ମୀମାନେ ପାଣ୍ଡିଆନ ବାବୁଙ୍କର ସୁରକ୍ଷାରେ ୭୪ ଜଣ ପୋଲିସ ଅଧିକାରୀ କାହିଁକି କାମ କରୁଛନ୍ତି ବୋଲି ପ୍ରଶ୍ନ କରିଥିଲେ । କିନ୍ତୁ ବଡ ଆଶ୍ଚର୍ଯ୍ୟର କଥା ଯେ ନିଜେ ପାଣ୍ଡିଆନ ବାବୁ ଏହି ଘଟଣାକୁ ନେଇ ଚୁପ୍ ଥିଲା ବେଳେ ଭୁବନେଶ୍ୱର ପୋଲିସ ନିଜ ଆଡୁ ମୋକଦ୍ଦମା ରୁଜୁ କରୁଛି । ଗଣତନ୍ତ୍ରରେ ସତ୍ୟକୁ ସାମ୍ନା କରିବା ଦରକାର । ତାହା ନକରି ଯଦି ମିଛ ମୋକଦ୍ଦମା ରୁଜୁ କରାଯାଏ ତାହେଲେ ଏହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ । ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥୀବା ବେଳେ ପୋଲିସ କାହିଁକି ଜଣେ ଦଳିୟ ନେତାଙ୍କ ଚାପରେ କାମ କରୁଛି? ବୋଲି ଶ୍ରୀ ବିଶ୍ବାଳ କହିଛନ୍ତି ।
ପୋଲିସ ପ୍ରଶାସନ ପାଖରେ ସତସାହାସ ଅଛି ଯଦି ସେମାନେ କୁହନ୍ତୁ ଯାହା ତଥ୍ୟ ଦିଆଯାଇଛି ତାହା ଭୁଲ୍ ବୋଲି । ତାହା ନକରି ଆମେ ତଥ୍ୟ ଦେଇନାହୁଁ ବୋଲି କହିବା ଦର୍ଶାଉଛି ପୋଲିସର ଦୁର୍ବଳତା । ଓଡିଶାର ଗଣତନ୍ତ୍ର ହତ୍ୟା କରିବା ପାଇଁ ଷଡଯନ୍ତ୍ର ଚାଲିଛି । ମିଡିଆ ଉପରେ ଆକ୍ରମଣ ହେଉଛି, ସୂଚନା ଅଧିକାର କର୍ମୀମାନଙ୍କ ଉପରେ ମିଛ କେସ୍ ଲଗାଇ ତାଙ୍କୁ ହଇରାଣ କରାଯାଉଛି । ଲୋକେ ଏଥର ନିର୍ବାଚନରେ ଏସବୁର ଉଚିତ୍ ଜବାବ ଦେବେ ବୋଲି ଶ୍ରୀ ବିଶ୍ୱାଳ କହଛନ୍ତି ।
[ad_2]