ଦେଶ- ବିଦେଶ

ବଦଳିଲା ମହମଦ ମୁଇଜୁଙ୍କ ଶ୍ୱର, କହିଲେ-ଭାରତ ସହ ଆମ ସମ୍ପର୍କ ମଜଭୁତ, ଆମର କେବେ ନଥିଲା ‘ଇଣ୍ଡିଆ ଆଉଟ’ ଏଜେଣ୍ଡା

ନ୍ୟୁୟର୍କ ୨୮।୯: ମାଲଦ୍ୱୀପ ରାଷ୍ଟ୍ରପତି ମହମଦ ମୁଇଜୁ ତାଙ୍କ ‘ଇଣ୍ଡିଆ ଆଉଟ୍’ ଏଜେଣ୍ଡାକୁ ଅସ୍ୱୀକାର କରିଛନ୍ତି। କହିଛନ୍ତି ଦ୍ୱୀପରାଷ୍ଟ୍ରକୁ ନିଜ ମାଟିରେ ବିଦେଶୀ ସେନା ଉପସ୍ଥିତି ଯୋଗୁ ଗୁରୁତର ସମସ୍ୟା ହେଉଥିଲା। ଜାତିସଂଘ ସାଧାରଣ ସଭାର ୭୯ତମ ଅଧିବେଶନରେ ଯୋଗ ଦେବା ପାଇଁ ଆମେରିକା ଗସ୍ତରେ ଥିବା ମୁଇଜୁ ପ୍ରିନସଟନ ବିଶ୍ୱବିଦ୍ୟାଳୟ ‘ଡିନସ୍ ଲିଡରସିପ୍ ସିରିଜ’ରେ ଏକ ପ୍ରଶ୍ନର ଜବାବ ଏହା କହିଛନ୍ତି।

ମାଲଦ୍ୱୀପ ନ୍ୟୁଜ୍ ପୋର୍ଟାଲ ଅଧାଦୁ ଡଟ୍ କମ୍ ରାଷ୍ଟ୍ରପତିଙ୍କ ସୂତ୍ରରୁ କହିଛି ଯେ ’ଆମେ କେବେବି କୌଣସି ଗୋଟିଏ ଦେଶ ବିରୋଧରେ ନଥିଲୁ କି ଏବେବି ନାହୁଁ’। ଏହା ଇଣ୍ଡିଆ ଆଉଟ୍ ନୁହେଁ, ମାଲଦ୍ୱୀପକୁ ନିଜ ମାଟିରେ ବିଦେଶୀ ସେନାଙ୍କ ଉପସ୍ଥିତି ଯୋଗୁ ଗୁରୁତର ସମସ୍ୟା ହେଉଥିଲା। ସେ କହିଛନ୍ତି ଯେ ମାଲଦ୍ୱୀପ ଜନତା ଦେଶରେ ଜଣେ ବି ବିଦେଶୀ ସୈନିକଙ୍କୁ ଦେଖିବାକୁ ଚାହାନ୍ତିନି। ୨୦୨୩ ନଭେମ୍ବରରେ ମୁଇଜୁ ମାଲଦ୍ୱୀର ରାଷ୍ଟ୍ରପତି ହେବା ପରେ ଭାରତ ଓ ମାଲଦ୍ୱୀପ ସମ୍ପର୍କ ତିକ୍ତ ହୋଇଥିଲା।

ମୁଇଜୁ ରାଷ୍ଟ୍ରପତି ହେବା ପରେ ଭାରତରୁ ଉପହାରରେ ମିଳିଥିବା ୩ ବିମାନ ପ୍ଲାଟଫର୍ମ ସଞ୍ଚାଳନ କରୁଥିବା ପାଖାପାଖି ୯୦ ଜଣ ଭାରତୀୟ ସେନା କର୍ମଚାରୀଙ୍କୁ ଦେଶରୁ ଫେରିଯିବାକୁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପଟେ ସୈନ୍ୟ କର୍ମଚାରୀଙ୍କ ବଦଳେ ଡୋର୍ଣ୍ଣିୟର ବିମାନ ଓ ହେଲିକପ୍ଟର ସଞ୍ଚାଳନ ପାଇଁ ସିଭିଲିୟାନଙ୍କୁ ନିଯୁକ୍ତ କରିଥିଲେ। ସେହିପରି ମୁଇଜୁ କହିଛନ୍ତି ଯେ ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅପମାନିତ କରିବା ଲାଗି ଉପମନ୍ତ୍ରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯାଇଥିଲା।

ରାଷ୍ଟ୍ରପତିଙ୍କ ସୂତ୍ରରୁ ରିପୋର୍ଟରେ କୁହାଯାଇଛି ଯେ ‘କାହାକୁ ବି ଏପରି କହିବା ଉଚିତ ନୁହେଁ। ମୁଁ ଏହା ବରିୋଧରେ କାର୍ଯ୍ୟାନୁଷ୍ଠାନ କରିଛି। କାହାକୁ ଏପରି ଅପମାନ କରିବା ମୁଁ ସ୍ୱୀକାର କରିପାରିବିନି, ଚାହେ ସେ ନେତା ହୁଅନ୍ତୁ ବା ସାଧାରଣ ନାଗରିକ। ପ୍ରତ୍ୟେକ ବ୍ୟକ୍ତିର ନିଜର ପ୍ରତିଷ୍ଠା ଥାଏ।’ ଚଳିତବର୍ଷ ପ୍ରାରମ୍ଭରେ ମାଲଦ୍ୱୀପ ଯୁବ ମନ୍ତ୍ରାଳୟ ଉପମନ୍ତ୍ରୀମାନଙ୍କୁ ମୋଦିଙ୍କ ବିରୋଧରେ ଅପମାନଜନକ ସୋସିଆଲ ମିଡିଆ ପୋଷ୍ଟ ଲାଗି ନିଲମ୍ବିତ କରିଥିଲେ। ଏହି ଘଟଣାକୁ ନୂଆଦିଲ୍ଲୀ ମାଲେ ନିକଟରେ ଦୃଢତାର ସହ ଉପସ୍ଥାପନ କରିଥିଲା।

Leave a Reply

Your email address will not be published. Required fields are marked *

Back to top button