ରାଜ୍ୟ

ସଂସ୍କାର ପାଇଁ ଶ୍ମଶାନ ମନା: ୨୪ଘଣ୍ଟାରୁ ଅଧିକ ସମୟ ହେଲାଣି ଘରେ ପଡିରହିଛି ମରଶରୀର

ବରଙ୍ଗପୁର: ପୁଣି ମୃତଦେହକୁ ମିଳିଲାନି ସମ୍ମାନ । ମୃତ୍ୟୁ ପରେ ବି ହଟୁନି ସାମାଜିକ କଟକଣା । ସଂସ୍କାର ପାଇଁ ମଶାଣିରେ ଜାଗା ଦେଉନାହାନ୍ତି ଗ୍ରାମବାସୀ । ସତରେ ଆଜିର ସଭ୍ୟ ସମାଜରେ ଧର୍ମର ଏଇ ଲଢେଇ ଭିତରେ ବନ୍ଧା ପଡିଛି ମୃତଦେହ । ଧର୍ମ ପରିବର୍ତନ ଯୋଗୁଁ ମୃତ୍ୟୁ ପରେ ମିଳିଲାନି ଶ୍ମଶାନ । ଯାହାଫଳରେ ଦୀର୍ଘ ଘଣ୍ଟା ହେଲା ଘରେ ପଡିରହିଛି ମୃତଶରୀର ।

ଏଭଳି ଏକ ଅଭାବନୀୟ ଘଟଣା ଘଟିଛି, ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ପଣ୍ଡିକୋଟ ପଞ୍ଚାୟତ ସଦର ମହକୁମାଠାରେ । ଧର୍ମ ପରିବର୍ତନ କରିଥିବା ଯୋଗୁଁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ସଂସ୍କାର ପାଇଁ ଶ୍ମଶାନ ମିଳୁନଥିବା ଦେଖିବାକୁ ମିଳିଛି ।

ଘରେ ପଡିରହିଛି ମୃତଦେହ । ଆଉ ବାହାରେ ସଜା ସରିଛି କୋକେଇ । ଏପଟେ କାନ୍ଦି କାନ୍ଦି ପରିବାର ଲୋକ ନାକେଦମ୍ । କାହିଁକିନା ଗ୍ରାମବାସୀଙ୍କ ବିରୋଧ ଯୋଗୁଁ ମନା ହୋଇଛି ଶ୍ମଶାନ । ଯାହାଫଳରେ ସତ୍କାର ନହୋଇ ଘରେ ପଡିରହିଛି ମୃତଦେହ । କଣ କରିବେ କିଛି ବି ବୁଝିପାରୁନାହାନ୍ତି ଏହି ପରିବାର ଲୋକେ ।

ସୂଚନା ଅନୁଯାୟୀ, ପଣ୍ଡିକୋଟ ଗ୍ରାମର ଡମୁ ଯାନୀ । ଗତ ଦୁଇ ବର୍ଷ ତଳେ ନିଜ ଧର୍ମ ପରିବର୍ତ୍ତନ କରି ଖ୍ରୀଷ୍ଟିଆନ୍ ଧର୍ମ ଗ୍ରହଣ କରିଥିଲେ । ପଣ୍ଡିକୋଟ ଗ୍ରାମରେ ୫ ରୁ ୬ ପରିବାର ଏହି ସମ୍ପ୍ରଦାୟର ଲୋକ ବସବାସ କରୁଛନ୍ତି । ଗ୍ରାମରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକଙ୍କ ସତ୍କାର କରିବା ପାଇଁ କୌଣସି ସ୍ଥାନ ନାହିଁ । ଏଭଳି ସ୍ଥିତିରେ ଗତକାଲି ଡମୁ ଯାନୀଙ୍କର କୌଣସି କାରଣରୁ ମୃତ୍ୟୁ ଘଟିଥିଲା । ଏହା ପରେ ଗାଁରେ ଚର୍ଚ୍ଚାର ବିଷୟ ପାଲିଟିଥିଲା ମୃତଦେହ ସତ୍କାର କେମିତି ହେବ? ଏନେଇ ଡମୁ ଯାନୀଙ୍କ ପରିବାର ଗ୍ରାମବାସୀଙ୍କୁ ସତ୍କାର କରିବା ପାଇଁ ଅନୁରୋଧ କରିଥିଲେ । କିନ୍ତୁ ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ ।

ତେବେ ଏନେଇ ପ୍ରଶାସନ ନିକଟରେ ଖବର ପହଁଚିବା ପରେ ଅତରିକ୍ତ ତହସିଲଦାର ସସ୍ମିତା ଜେନା, ଏସଡିପିଓ ମିନାକ୍ଷୀ ଠାକୁର, ଥାନା ଅଧିକାରୀ ଦୀପକ କୁମାର ଜେନା, ରାଜସ୍ୱ ନିରୀକ୍ଷକ ଅର୍ଜୁନ ମାଝୀ ଘଟଣାସ୍ଥଳ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ କିନ୍ତୁ ହିନ୍ଦୁ ମାନଙ୍କ ଶ୍ମଶାନରେ ଅନ୍ୟ ଧର୍ମର ମୃତଶରୀର ସତ୍କାର ହୋଇପାରିବ ନାହିଁ ବୋଲି ଗ୍ରାମବାସୀ ସିଧାସିଧା ମନାକରି ଦେଇଥିଲେ ।

ଏହା ପରେ ଅତରିକ୍ତ ତହସିଲଦାର ସତ୍କାର ନିମନ୍ତେ ଜାଗା ଚିହ୍ନଟ କରିବା ପାଇଁ ରାଜସ୍ୱ ନିରୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଥିଲେ କିନ୍ତୁ ସେହି ଅଞ୍ଚଳରେ ରାଜସ୍ୱ ବିଭାଗର କୌଣସି ଜାଗା ନଥିବା ଯୋଗୁ ଜାଗା ନିରୂପଣ ହୋଇପାରିନଥିଲା । ଯାହାଫଳରେ ଆଜି ମଧ୍ୟ ପଡି ରହିଛି ଡମୁ ଯାନୀଙ୍କ ମୃତଶରୀର । ଗ୍ରାମବାସୀଙ୍କ ଜିଦ ଆଗରେ ନିରୁପାୟ ହେଇ ପଡ଼ିରହିଛି ଏହି ପରିବାର । ଧର୍ମର ଏଇ ଲଢେଇରେ ବନ୍ଧା ପଡିଛି ମୃତଶରୀର । ତେବେ ବାରମ୍ବାର ଅନେକ ସ୍ଥାନରେ ଏପରି ଘଟଣା ଘଟୁଥିଲେ ବି ପ୍ରଶାସନ ପକ୍ଷରୁ ଏହାର କୌଣସି ସ୍ଥାୟୀ ସମାଧାନ ହେଉନଥିବା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

Leave a Reply

Your email address will not be published. Required fields are marked *

Back to top button