ଦେଶ- ବିଦେଶ

ଝରଣା ପାଖରେ ସେଲ୍ଫି ନେଉଥିବା ବେଳେ ଖସି ପଡ଼ିଲେ ଯୁବତୀ, ୨୨ ଘଣ୍ଟା ପରେ ଉଦ୍ଧାର

କର୍ଣ୍ଣାଟକର ତୁମକୁରୁରେ ଜଣେ ଯୁବତୀ ଝରଣା ପାଖରେ ସେଲ୍ଫି ନେଉଥିବା ବେଳେ ହଠାତ୍ ଚଟାଣ ମଧ୍ୟରେ ଖସି ପଡ଼ିଥିଲେ । ଦୀର୍ଘ ୨୨ ଘଣ୍ଟା ପରେ ୧୯ ବର୍ଷୀୟା ଯୁବତୀଙ୍କୁ ସୋମବାର ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା କର୍ମଚାରୀମାନେ ଉଦ୍ଧାର କରିଛନ୍ତି । ରବିବାର ଅପରାହ୍ନରେ ଏହି ଘଟଣା ତୁମକୁରୁର ମନ୍ଦାରାଗିରି ପାହାଡ଼ର ମାୟଡାଲା ଝରଣାରେ ଘଟିଛି ।

ଉଦ୍ଧାର ଯୁବତୀଙ୍କ ନାମ ହମସା ବୋଲି ଜଣାପଡ଼ିଛି ।

ଶିବପୁରା ଗାଁର ହମସା ସାଙ୍ଗମାନଙ୍କ ସହ ମନ୍ଦାରାଗିରିରୁ ଫେରୁଥିବା ବେଳେ ଝରଣା ନିକଟକୁ ଯାଇଥିଲେ । ସେଠାରେ ସେଲ୍ଫି ନେବାକୁ ଚେଷ୍ଟା କଲା ବେଳେ ତାଙ୍କ ଗୋଡ଼ ଖସି ଯାଇଥିଲା ଏବଂ ସେ ତଳେ ଥିବା ଚଟାଣ ମଧ୍ୟରେ ଖସି ପଡ଼ିଥିଲେ ।

ଯୁବତୀ ଚଟାଣ ମଧ୍ୟରେ ଖସି ପଡ଼ିଥିବାର ସୂଚନା ପାଇ ପୋଲିସ ଏବଂ ଅଗ୍ନିଶମ କର୍ମଚାରୀ ପହଞ୍ଚିଥିଲେ । ଏହାପରେ ଝରଣା ପାଣିକୁ ସେମାନେ ମୋଡ଼ିଥିଲେ ଏବଂ ୧୨ ଘଣ୍ଟା ଧରି ଅଭିଯାନ ଚଳାଇ ଯୁବତୀଙ୍କୁ ଉଦ୍ଧାର କରିଥିଲେ । ଦୀର୍ଘ ୨୨ ଘଣ୍ଟା କାଳ ଯୁବତୀ ଜଣକ ସେଠାରେ ଫସି ରହିଥିଲେ ।

ଏସପି କେଭି ଅଶୋକ କହିଛନ୍ତି, ବିଟେକ୍ କରୁଥିବା ହମସା ନାମ୍ନୀ ଛାତ୍ରୀ ରବିବାର ନିଜ ସାଙ୍ଗମାନଙ୍କ ସହ ଏଠାକୁ ବୁଲିବାକୁ ଆସିଥିଲେ । ଅପରାହ୍ନ ସାଢ଼େ ୩ଟା ବେଳେ ସେ ସେଲ୍ଫି ନେଉଥିବା ବେଳେ ତାଙ୍କ ଗୋଡ଼ ଖସି ଯାଇଥିଲା ଏବଂ ସେ ଚଟାଣ ମଧ୍ୟରେ ପଡ଼ିଯାଇଥିଲେ । ପୋଲିସ କର୍ମଚାରୀ, ଦମକଳ ବାହିନୀ ଏବଂ ସ୍ଥାନୀୟ ଅଧିକାରୀମାନେ ବହୁ ପରିଶ୍ରମ ପରେ ଛାତ୍ରୀଙ୍କୁ ଉଦ୍ଧାର କରିଛନ୍ତି ।

ପୋଲିସ ମୁତାବକ, ଛାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ବହୁ କଷ୍ଟକର ଥିଲା । ଏହା ଚମତ୍କାର ହୋଇଛି । ଛାତ୍ରୀଙ୍କ ସାହସ ଓ ଦମ୍ଭ ପ୍ରଶଂସନୀୟ ।

Leave a Reply

Your email address will not be published. Required fields are marked *

Back to top button