ରାଜ୍ୟ

ଓପିଟିସିଏଲ ଏବଂ ୟୁନିୟନ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ମଧ୍ୟରେ କର୍ମଚାରୀ କଲ୍ୟାଣ ନିମନ୍ତେ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର:- ଓଡିଶା ପାୱାର୍ ଟ୍ରାନ୍ସମିସନ୍ କର୍ପୋରେସନ୍ ଲିମିଟେଡ୍ (OPTCL) ଆଜି ୟୁନିୟନ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (UBI) ସହିତ ଏକ ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର (MoU) ସ୍ୱାକ୍ଷର କରିଛି। ଏହାର ଉଦ୍ଦେଶ୍ୟ ହେଉଛି ୟୁନିୟନ୍ ବ୍ୟାଙ୍କ୍‌ରେ ଆକାଉଣ୍ଟ୍ ଥିବା ଓପିଟିସିଏଲ କର୍ମଚାରୀମାନଙ୍କୁ ସ୍ୱତନ୍ତ୍ର ବୀମା ପରିସରଭୁକ୍ତ କରିବା ଏବଂ ଅନ୍ୟାନ୍ୟ ସୁବିଧା ପ୍ରଦାନ କରିବା।

ଏହି ବୁଝାମଣାପତ୍ର ସ୍ୱାକ୍ଷର ସମାରୋହ ଆଜି ଲୋକସେବା ଭବନଠାରେ ଓଡିଶାର ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ତଥା ଶକ୍ତି ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓଙ୍କ ସଦୟ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା। ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ଅଟେ । ଆଜିର ସହଭାଗୀତା ଓପିଟିସିଏଲ ଏବଂ ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ମଧ୍ୟରେ ଏକ ଦୀର୍ଘ, ଅର୍ଥପୂର୍ଣ୍ଣ ଏବଂ କଲ୍ୟାଣମୂଳକ ସମ୍ପର୍କକୁ ସୂଚିତ କରେ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ପ୍ରମୁଖ ଶାସନ ସଚିବ, ଶକ୍ତି ବିଭାଗ, ଶ୍ରୀ ଵିଶାଲ କୁମାର ଦେବ, ସିଏମ୍ ଡି, ଓପିଟିସିଏଲ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା ଏବଂ ଓଡିଶା ସରକାରଙ୍କ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିବୃନ୍ଦ ତଥା ୟୁନିୟନ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଓପିଟିସିଏଲ କର୍ମଚାରୀଙ୍କ ପାଇଁ ବ୍ୟାପକ ସୁରକ୍ଷା
ଏହି ଯୋଜନା ଓପିଟିସିଏଲର ପ୍ରତ୍ୟେକ କର୍ମଚାରୀଙ୍କୁ — ସେମାନଙ୍କର କ୍ୟାଡର କିମ୍ବା ପଦବୀ ନିର୍ବିଶେଷରେ — ସୁଦୃଢ ଆର୍ଥିକ ନିରାପତ୍ତା ପ୍ରଦାନ କରିବ। ଏହି ପ୍ୟାକେଜର ମୁଖ୍ୟ ସୁବିଧାଗୁଡ଼ିକ ନିମ୍ନରେ ଦିଆଗଲା:

ବୃହତ୍ ବୀମା ପରିସର: ପ୍ରତ୍ୟେକ କର୍ମଚାରୀଙ୍କୁ ₹୧ କୋଟି ୨୦ ଲକ୍ଷ ଟଙ୍କାର ବ୍ୟକ୍ତିଗତ ଦୁର୍ଘଟଣା ବୀମା ଏବଂ ଅତିରିକ୍ତ ୨୦ ଲକ୍ଷ ଟଙ୍କାର ଜୀବନ ବୀମା ପ୍ରଦାନ କରାଯିବ।

ସ୍ୱାସ୍ଥ୍ୟ ସହାୟତା: ବାର୍ଷିକ ₹୩୦,୦୦୦/- ଟଙ୍କା ପର୍ଯ୍ୟନ୍ତ ହସ୍ପିଟାଲ୍ କ୍ୟାସ୍ ସୁବିଧା ଏହି ଯୋଜନାରେ ଅନ୍ତର୍ଭୁକ୍ତ।

RuPay Select ଡେବିଟ୍ କାର୍ଡ ଲାଭ: କର୍ମଚାରୀମାନେ ସେମାନଙ୍କର ଶୂନ୍ୟ ବାଲାନ୍ସ ସଞ୍ଚୟ ଖାତାରେ RuPay Select ଡେବିଟ୍ କାର୍ଡ ମଧ୍ୟ ପାଇବେ, ଯାହା ମାଧ୍ୟମରେ:

₹୧୫ ଲକ୍ଷ ଟଙ୍କାର ଅତିରିକ୍ତ ଦୁର୍ଘଟଣା ବୀମା କଭରେଜ୍ ମିଳିବ।

ବାର୍ଷିକ ₹୭୫,୦୦୦/- ଟଙ୍କା ମୂଲ୍ୟର ଲାଇଫ୍‌ଷ୍ଟାଇଲ୍ ସୁବିଧା, ଯେପରିକି ମାଗଣା ଏୟାରପୋର୍ଟ ଲାଉଞ୍ଜ୍ ଏବଂ ମାଗଣା ବ୍ୟାଙ୍କିଙ୍ଗ୍ କାରବାର (Free banking transactions) ଆଦି ବିନା କୌଣସି ଅତିରିକ୍ତ ଖର୍ଚ୍ଚରେ ମିଳି ପାରିବ।

ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ ‘ୟୁନିୟନ୍ ସମ୍ମାନ’
ସମସ୍ତ ନିୟମିତ କର୍ମଚାରୀଙ୍କ ବ୍ୟତୀତ, ୟୁନିୟନ୍ ବ୍ୟାଙ୍କ୍‌ରେ ଆକାଉଣ୍ଟ୍ ଥିବା ଓପିଟିସିଏଲର ପେନ୍‌ସନ୍‌ଭୋଗୀମାନଙ୍କ ପାଇଁ ମଧ୍ୟ ୟୁନିୟନ୍ ସମ୍ମାନ (Union Sanman) ନାମକ ଅନ୍ୟ ଏକ ସ୍ୱତନ୍ତ୍ର ପ୍ୟାକେଜ୍ ପ୍ରସ୍ତୁତ କରାଯାଇଛି।

ଓପିଟିସିଏଲ ପକ୍ଷରୁ ୟୁନିୟନ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆକୁ ସେମାନଙ୍କର ସକ୍ରିୟ ଦୃଷ୍ଟିକୋଣ ଏବଂ କର୍ମଚାରୀଙ୍କ ଆବଶ୍ୟକତା ସହିତ ସମନ୍ୱିତ ଏକ ଯୋଜନା ପ୍ରସ୍ତୁତ କରିଥିବାରୁ ଧନ୍ୟବାଦ ଜଣାଯାଇଥିଲା। ଶେଷରେ, ନିରନ୍ତର ମାର୍ଗଦର୍ଶନ ଏବଂ ସମର୍ଥନ ପାଇଁ ଓଡିଶା ସରକାରଙ୍କୁ ହାର୍ଦ୍ଦିକ କୃତଜ୍ଞତା ଜ୍ଞାପନ କରାଯାଇଥିଲା।

 

Leave a Reply

Your email address will not be published. Required fields are marked *

Back to top button