ଝାରସୁଗୁଡ଼ା ହସ୍ପିଟାଲରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ, ୩ ଗିରଫଙ୍କ ଭିତରେ ଅଛନ୍ତି ଜଣେ ମହିଳା

ରୋଗୀଙ୍କ ସହ ଆସିଥିବା ଆଟେଣ୍ଡାଣ୍ଟଙ୍କୁ ଦୁଷ୍କର୍ମ ଅଭିଯୋଗ । ଦୁଷ୍କର୍ମକାରୀ ସମେତ ୩ ଜଣଙ୍କୁ ବାନ୍ଧିଲା ପୋଲିସ । ୩ ଗିରଫଙ୍କ ଭିତରେ ଅଛନ୍ତି ଜଣେ ମହିଳା । ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ସୋମବାର ଦିନ ଦୁଷ୍କର୍ମକାଣ୍ଡ ହୋଇଛି ।
ପୀଡ଼ିତାଙ୍କ ପିଉସା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବାବେଳେ ତାଙ୍କୁ ଜଗିବାକୁ ପିଉସୀଙ୍କ ସହ ପୀଡ଼ିତା ଆସିଥିଲେ । ସେ ଏକାକୀ ଥିବା ଦେଖି ମେଡିକାଲ ପରିସରରେ ଏକ ସୁରକ୍ଷିତ ସ୍ଥାନରେ ତାଙ୍କୁ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ । ଅଭିଯୁକ୍ତ ବୁରୋମାଲ ଗଉନ୍ତିଆପଡ଼ା ଅଞ୍ଚଳର ରାଜା ବେସନ । ତାକୁ ସ୍ଥାନୀୟ ଅଞ୍ଚଳର ଆକାଶ ପ୍ରଧାନ ଏବଂ ତୃପ୍ତି ନାଏକ ନାମକ ଜଣେ ଯୁବତୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତକୁ ଜୋରଦାର କରି ମଙ୍ଗଳବାର ସହଯୋଗୀ ଆକାଶ ପ୍ରଧାନ ଓ ତୃପ୍ତି ନାଏକଙ୍କୁ ବୁରୋମାଲ ଅଞ୍ଚଳରୁ ଗିରଫ କରିଥିଲା । ପରେ ମୁଖ୍ୟ ଅଭିଯୁକ୍ତ ରାଜା ବେସନକୁ କାବୁ କରିବାରେ ସଫଳ ହୋଇଥିଲା । ପୋକ୍ସୋ ଆଇନରେ ତିନି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି ।
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରି ଏକ ଜନଗହଳିପୂର୍ଣ୍ଣ ଏବଂ ସୁରକ୍ଷିତ ସ୍ଥାନରେ ଜଣେ ନାବାଳିକା ଆଟେଣ୍ଡାଣ୍ଟଙ୍କ ସହ ଏଭଳି ବର୍ବରୋଚିତ କାଣ୍ଡ ଘଟିବା ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଓ ଉଦ୍ବେଗ ପ୍ରକାଶ ପାଇଛି । ଅଭିଯୁକ୍ତମାନଙ୍କୁ କଠୋରରୁ କଠୋର ଦଣ୍ଡ ପ୍ରଦାନ କରିବାକୁ ସାଧାରଣରେ ଦାବି ହେଉଛି । ପୋଲିସ ପୀଡ଼ିତାଙ୍କୁ ଡାକ୍ତରୀ ମାଇନା କରାଇବା ସହ ଘଟଣାର ଅଧିକ ସୂଚନା ପାଇଁ ତଦନ୍ତ ଜାରି ରଖିଛି ।



