ଜାଲ୍ ସାର୍ଟିଫିକେଟରେ ଠିକାରେ ଷ୍ଟାଫ୍ର ନର୍ସ ନିଯୁକ୍ତିରେ ବଡ଼ ଘୋଟାଲା, ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ

ତାଳଚେର ପବିତ୍ର ମୋହନ ପ୍ରଧାନ ମେଡ଼ିକାଲ୍ କଲେଜ ଓ ହସ୍ପିଟାଲ୍ ରେ ଜାଲ୍ ସାର୍ଟିଫିକେଟରେ ଶତାଧିକ ଷ୍ଟାଫ୍ ନର୍ସଙ୍କୁ ନିଯୁକ୍ତି ଦେଇ ରୋଗୀଙ୍କ ଜୀବନ ସହ ଖେଳିଥିବା ଠିକା ସଂସ୍ଥା ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ । ଜିଲ୍ଲାପାଳ ଅବଦାଲ ମହମ୍ମଦ ଅଖତର ଠିକାସଂସ୍ଥା ଝାଡ଼ଖଣ୍ଡର ‘ମେସର୍ସ କମାଣ୍ଡୋ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ ଲିମିଟେଡ’କୁ ସ୍ଥାୟୀ ଭାବରେ ନିଷିଦ୍ଧ ଏବଂ କଳା ତାଲିକାଭୁକ୍ତ କରିଛନ୍ତି । ଘଟଣାର ଗମ୍ଭୀରତା, ବିଶ୍ଵାସ ଭଙ୍ଗ ଏବଂ ଜନସ୍ବାସ୍ଥ୍ୟ ପ୍ରତି ବିପଦକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।
ଜାଲ୍ ସାର୍ଟିଫିକେଟ୍ ରେ ଠିକାରେ ଷ୍ଟାଫ୍ର ନର୍ସ ନିଯୁକ୍ତି ଘଟଣା ପଦାକୁ ଆସିବା ପରେ ଜିଲ୍ଲା ପ୍ରଶାସନ ଓ ଏମ୍ ସିଏଲ୍ ପକ୍ଷରୁ ତଦନ୍ତ ଚାଲୁ ରହିଛି । ନିକଟରେ ସ୍ବତନ୍ତ୍ର ତଦନ୍ତ କମିଟି ଦ୍ବାରା ଷ୍ଟାଫନର୍ସମାନଙ୍କ ପ୍ରମାଣପତ୍ର ଯାଞ୍ଚ ଶେଷ ହୋଇଛି । ଯାଞ୍ଚ ସମୟରେ ମୋଟ୍ ୨୮୭ ଜଣ ଷ୍ଟାଫନର୍ସଙ୍କ ମଧ୍ୟରୁ ୧୦୬ ଜଣ ଜାଲ୍ ପ୍ରମାଣପତ୍ରରେ ନିଯୁକ୍ତି ପାଇଥିବା ତଦନ୍ତରୁ ଜଣାପଡ଼ିଛି । ଏହି ଷ୍ଟାଫ୍ ନର୍ସ ମାନେ ଘଟଣା ପଦାକୁ ଆସିବା ଦିନଠୁ ଡ୍ୟୁଟିରେ ଅନୁପସ୍ଥିତ ଥିଲେ । ପରବର୍ତ୍ତୀ ସମୟରେ ବିଦା କରାଯାଇଛି। ଗତକାଲି ସ୍ବତନ୍ତ୍ର ତଦନ୍ତ କମିଟି ଯାଞ୍ଚ ରିପୋର୍ଟ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲା ।




