ମନୋରଞ୍ଜନ

ଦାଦାଙ୍କ ଜନ୍ମଦିନରେ ଫ୍ୟାନ୍ସଙ୍କୁ ବଡ଼ ଉପହାର, ସାମ୍ନାକୁ ଆସିଲା ବାୟୋପିକ୍‌ର ପ୍ରଥମ ଝଲକ

ଭାରତର ପୂର୍ବତନ କ୍ରିକେଟ୍ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ଜନ୍ମଦିନ ଅବସରରେ ଦାଦା- ଦ ସୌରଭ ଗାଙ୍ଗୁଲି ଷ୍ଟୋରି’ର ନିର୍ମାତାମାନେ ଫିଲ୍ମର ପ୍ରଥମ ପୋଷ୍ଟର ସେୟାର କରିଛନ୍ତି । ଭାରତୀୟ କ୍ରିକେଟ୍ର ସର୍ବଶ୍ରେଷ୍ଠ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ଭୂମିକାରେ ଅଭିନୟ କରୁଥିବା ଅଭିନେତା ରାଜକୁମାର ରାଓଙ୍କ ପ୍ରଥମ ଝଲକ ଏହି ପୋଷ୍ଟରରେ ଦେଖିବାକୁ ମିଳିଛି ।

୨୦୦୨ ମସିହାରେ ଭାରତ ଇଂଲଣ୍ଡ ବିପକ୍ଷରେ ନେଟୱେଷ୍ଟ ସିରିଜର ଫାଇନାଲ୍ ମ୍ୟାଚ୍ ଖେଳିଥିଲା ଏବଂ ଐତିହାସିକ ବିଜୟ ହାସଲ କରିଥିଲା । ଏହା ପରେ ସୌରଭ ଗାଙ୍ଗୁଲି ଲର୍ଡ୍ସର ବାଲକୋନିରେ ନିଜ ଶର୍ଟ ଖୋଲି ବିଜୟ ଉତ୍ସବ ପାଳନ କରିଥିଲେ । ଏବେ ସେହି ଐତିହାସିକ ଓ ଆଇକନିକ୍ ଦୃଶ୍ୟକୁ ରାଜକୁମାର ରାଓ ପୁଣିଥରେ ପରଦାରେ ଜୀବନ୍ତ କରିଛନ୍ତି । ପୋଷ୍ଟର ସହିତ ନିର୍ମାତାମାନେ ଏହି ବାୟୋପିକ୍ କେବେ ରିଲିଜ୍ କରିବ ତାହା ମଧ୍ୟ ଘୋଷଣା କରିଛନ୍ତି ।

ରାଜକୁମାର ରାଓ ସୌରଭ ଗାଙ୍ଗୁଲିଙ୍କ ସେହି ସ୍ମରଣୀୟ ମୁହୂର୍ତ୍ତକୁ ପୁଣିଥରେ ସତେଜ କରିଦେଇଛନ୍ତି, ଯେତେବେଳେ ଭାରତ ଏକ ରୋମାଞ୍ଚକର ଫାଇନାଲ୍‌ରେ ଇଂଲଣ୍ଡ ଦେଇଥିବା ଲକ୍ଷ୍ୟକୁ ହାସଲ କରି ୨ ୱିକେଟ୍‌ରେ ବିଜୟୀ ହୋଇଥିଲା । ସେହି ସମୟରେ ଉତ୍ସାହ ଓ ଭାବାବେଗରେ ସୌରଭ ଗାଙ୍ଗୁଲି ନିଜ ଶର୍ଟ ଖୋଲି ଲର୍ଡ୍ସ ବାଲକୋନିରୁ ତାହାକୁ ହଲାଇଥିଲେ। ଏହି ମୁହୂର୍ତ୍ତ ଭାରତୀୟ କ୍ରିକେଟ୍ ଇତିହାସର ସବୁଠାରୁ ସ୍ମରଣୀୟ ଘଟଣାମାନଙ୍କ ମଧ୍ୟରୁ ଗୋଟିଏ ହୋଇ ରହିଛି । ରାଜକୁମାର ରାଓଙ୍କ ଏହି ପ୍ରଥମ ଲୁକ୍ ଦେଖି ଦର୍ଶକମାନଙ୍କ ମଧ୍ୟରେ ଫିଲ୍ମକୁ ନେଇ ଉତ୍ସାହ ଆହୁରି ବଢ଼ିଯାଇଛି ।

ଇନଷ୍ଟାଗ୍ରାମରେ ଫିଲ୍ମର ପ୍ରଥମ ଲୁକ୍ ସେୟାର କରି ରାଜକୁମାର ରାଓ ଲେଖିଛନ୍ତି ଯେ, “ଆମର ପ୍ରିୟ ଦାଦାଙ୍କୁ ଜନ୍ମଦିନର ଅନେକ ଶୁଭେଚ୍ଛା ।” ସେ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ ‘ଦାଦା: ଦ ସୌରଭ ଗାଙ୍ଗୁଲି ଷ୍ଟୋରି’ ୧୪ ମେ ୨୦୨୭ରେ ସିନେମା ହଲ୍‌ରେ ରିଲିଜ କରିବ। ଅନ୍ୟପଟେ ସୌରଭ ଗାଙ୍ଗୁଲି ମଧ୍ୟ ପୋଷ୍ଟର ସେୟାର କରି ଲେଖିଛନ୍ତି, “ଏପର୍ଯ୍ୟନ୍ତର ସବୁଠାରୁ ଶ୍ରେଷ୍ଠ ଉପହାର! ତୁମକୁ ମୋର କଭର ଡ୍ରାଇଭ୍ ଖେଳୁଥିବା ଦେଖିବାକୁ ମୁଁ ଅତ୍ୟନ୍ତ ଉତ୍ସୁକ।”

ରାଜକୁମାର ରାଓଙ୍କ ସହ ଏହି ଫିଲ୍ମରେ ଅଭିନେତ୍ରୀ ତାନ୍ୟା ମାଣିକତଲା ମଧ୍ୟ ନଜର ଆସିବେ। ‘ଏ ସୁଟେବଲ୍ ବୟ’, ‘କିଲ୍’ ଏବଂ ‘ଟୁଥ ପରୀ’ ଭଳି ପ୍ରକଳ୍ପରେ ଅଭିନୟ କରି ସେ ପରିଚୟ ଲାଭ କରିଛନ୍ତି । ଏହି ବହୁ ପ୍ରତୀକ୍ଷିତ ବାୟୋପିକ୍‌ରେ ସେ ସୌରଭ ଗାଙ୍ଗୁଲିଙ୍କ ପତ୍ନୀ ଡୋନା ଗାଙ୍ଗୁଲିଙ୍କ ଭୂମିକାରେ ଅଭିନୟ କରିବେ। ଫିଲ୍ମଟିର ନିର୍ଦ୍ଦେଶନା ଦେବେ ବିକ୍ରମାଦିତ୍ୟ ମୋଟୱାନେ ଏବଂ ଏହାର ପ୍ରଯୋଜନା କରିବେ ଲଭ ରଞ୍ଜନ ଓ ଅଙ୍କୁର ଗର୍ଗ ।

Leave a Reply

Your email address will not be published. Required fields are marked *

Back to top button