ଖେଳ ଖବର

ଗୁରନୁର ବ୍ରାରଙ୍କୁ ଦଣ୍ଡିତ କଲା ଆଇସିସି, ନିୟମ ଉଲ୍ଲଙ୍ଘନ ଯୋଗୁଁ ମିଳିଲା ଡିମେରିଟ୍ ପଏଣ୍ଟ

ଭାରତ ବନାମ ଇଂଲଣ୍ଡ ଦ୍ବିତୀୟ ଦିନିକିଆ ପୂର୍ବରୁ ଆଇସିସି ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ଗୁରନୁର ବ୍ରାରଙ୍କୁ ଦଣ୍ଡିତ କରିଛି । ଗୁରନୁର ବ୍ରାରଙ୍କୁ ICC ଆଚରଣ ସଂହିତା ଉଲ୍ଲଂଘନ କରିବା ପାଇଁ ଦଣ୍ଡିତ କରାଯାଇଛି । ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଗୁରନୁର ଆଇସିସି ଆଚାର ସଂହିତାର ଧାରା ୨.୯ ଉଲ୍ଲଂଘନ କରିଛନ୍ତି । ଯାହା ଫଳରେ ତାଙ୍କୁ ଗୋଟିଏ ଡିମେରିଟ୍ ପଏଣ୍ଟ ଦିଆଯାଇଛି ।

ବର୍ମିଂହାମରେ ଖେଳାଯାଇଥିବା ପ୍ରଥମ ODI ମ୍ୟାଚ୍ ସମୟରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରୁଥିଲା ବେଳେ ଗୁରନୁର ବ୍ରାର ଇନିଂସର ଅଷ୍ଟମ ଓଭର ବୋଲିଂ କରିବାକୁ ଆସିଥିଲେ, ବେନ୍ ଡକେଟ ତାଙ୍କ ସାମ୍ନାରେ ଥିଲେ । ଓଭରର ପଞ୍ଚମ ବଲରେ ଡକେଟ ସିଧା ବଲକୁ ଗୁରନୂରଙ୍କ ଆଡ଼କୁ ଫିଙ୍ଗିଥିଲେ । ଏହାପରେ ଭାରତୀୟ ବୋଲର ଡକେଟଙ୍କ ଆଡ଼କୁ ବିପଦପୂର୍ଣ୍ଣ ଭାବେ ବଲକୁ ଫେରାଇ ଦେଇଥିଲେ । ମ୍ୟାଚ୍ ରେଫରି ଗୁରନୁର ବ୍ରାରଙ୍କ ଏହି କାର୍ଯ୍ୟକୁ ଆଇସିସି ନିୟମ ଅନୁଯାୟୀ ବିପଦପୂର୍ଣ୍ଣ ବୋଲି କହିଥିଲେ ।

ଆଇସିସି ନିୟମ ଅନୁଯାୟୀ, ସ୍ତର ୧ ଅପରାଧ ପାଇଁ, ଜଣେ ଖେଳାଳିଙ୍କୁ ଭର୍ତ୍ସନା କରାଯାଇପାରେ, ତାଙ୍କ ମ୍ୟାଚ୍ ଫିର ୫୦ ପ୍ରତିଶତ ଜରିମାନା କରାଯାଇପାରେ, ଏବଂ ଗୋଟିଏ କିମ୍ବା ଦୁଇଟି ଡିମେରିଟ୍ ପଏଣ୍ଟ ଦିଆଯାଇପାରେ । ପ୍ରଥମ ODIରେ ଗୁରନୁର ବ୍ରାର ପ୍ରଭାବଶାଳୀ ବୋଲିଂ କରିଥିଲେ । ଏହି ମ୍ୟାଚରେ ଗୁରନୁର ୯ ଓଭରରେ ୬୧ ରନ ଦେଇ ୨ ୱିକେଟ୍ ନେଇଥିଲେ ।

ତେବେ ଦ୍ବିତୀୟ ଦିନିକିଆ ପାଇଁ ଟସ୍ ଜିତିଛି ଇଂଲଣ୍ଡ । ଇଂଲଣ୍ଡ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି । ତେଣୁ ଭାରତ ପ୍ରଥମେ ବ୍ୟାଟିଂ କରିବ ।

Leave a Reply

Your email address will not be published. Required fields are marked *

Back to top button