Sudhir Patra Case: ସୁଧୀର ପାତ୍ର ଅପହରଣ ଓ ହତ୍ୟା ମାମଲା, ୫୫୨ ପୃଷ୍ଠାର ଚାର୍ଜସିଟ୍ ଦାଖଲ

ଗଞ୍ଜାମ ଜିଲ୍ଲା ଗୋପାଳପୁର ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ମାମଲାରେ ୫୫୨ ପୃଷ୍ଠାର ପ୍ରଥମ ପର୍ଯ୍ୟାୟ ଚାର୍ଜ ସିଟ ଦାଖଲ କରିଛି ପୋଲିସ । ଗୋପାଳପୁର ଥାନା ପକ୍ଷରୁ କୋର୍ଟରେ ଅଭିଯୋଗଫର୍ଦ୍ଦ ଦାଖଲ ହୋଇଛି । ତେବେ ଏଵେ ଵି ତଦନ୍ତ ଜାରି ରହିଛି, ଏଣୁ ଆଗକୁ ଵି ଆଉ କିଛି ଚାର୍ଜ ସିଟ ଦାଖଲ ହେବ l ସେପଟେ ଘଟଣା ଦିନ ଘଟଣା ସ୍ଥଳରେ ସୁଧୀରଙ୍କୁ ମାଡ଼ ମରାଯାଉଥିବାର ଭିଡ଼ିଓ କରି ସୁଧୀରଙ୍କ ସ୍ତ୍ରୀଙ୍କୁ ଟଙ୍କା ମାଗିଥିବା ରଞ୍ଜନ ମଲ୍ଲିକର ସ୍ୱର ନମୁନା ପରୀକ୍ଷା ପାଇଁ ଭୁବନେଶ୍ୱର ଫୋରେନସିକ ଲାବକୁ ପଠାଯାଇଛି । ସେହିପରି ସେଠାରେ ସୁଧୀରଙ୍କୁ ଭୟଭୀତ କରିବା ପାଇଁ ସରୋଜ ପଣ୍ଡା କରିଥିବା ବ୍ଲାଙ୍କ ଫାଇରିଙ୍ଗର ଖୋକା ଓ ଫୁଟା ଗୁଳିର ସୀସା ପୋଲିସ ହାତରେ ଲାଗିଛି । ପରୀକ୍ଷା ପାଇଁ ମଧ୍ୟ ଫୋରେନସିକ ପଠାଯାଇଛି । ମାମଲାରେ ଗିରଫ ୧୩ ଅଭିଯୁକ୍ତଙ୍କ ମଧ୍ୟରୁ ସୂର୍ଯ୍ୟ ପ୍ରତାପ ସିଂ ଓ ସୁମିତ ସିଂ ଅଣ ଓଡ଼ିଆ ଥିବା ବେଳେ ଅନ୍ୟମାନେ ଗଞ୍ଜାମର । ଅଭିଯୁକ୍ତଙ୍କ ମଧ୍ୟରୁ ନିବେଦିତା ଓ ତୁଷାର ହେଉଛନ୍ତି ସୁଧୀରଙ୍କ ଝିଆରୀ ଓ ପୁତୁରା । ସେପଟେ ପୋଲିସର ଗୁଳି ମାଡ଼ରେ ସରୋଜ ଓ ରଞ୍ଜନ ଆହତ ହୋଇଥିଲେ । ସମସ୍ତ ରିପୋର୍ଟକୁ ଏଵେ ପୋଲିସର ଅପେକ୍ଷା ।
ଗତ ଏପ୍ରିଲ ୧୫ ତାରିଖରେ ସୁଧୀର ପାତ୍ର ଭାବିନୀପୁରରୁ ଭଲିବଲ ଖେଳି ଘର ଅଭିମୁଖେ ବାଇକରେ ଆସୁଥିବା ବେଳେ ଗୋପାଳପୁର ଥାନା ଅଞ୍ଚଳରେ ତାଙ୍କୁ ଅପହରଣ କରି ନେଇ ମୁଣ୍ଡରେ ବନ୍ଧୁକ ରଖି ଦୁଇ କୋଟି ଟଙ୍କା ଦାବି କରିଥିଲେ । ଟଙ୍କା ନମିଳିବା ଫଳରେ ତାଙ୍କୁ ହତ୍ୟା କରାଯାଇଥିଲା ଗତ ଏପ୍ରିଲ ୨୩ ତାରିଖରେ ୯ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ଅନ୍ୟ ୪ ଅଭିଯୁକ୍ତଙ୍କୁ ରାଜସ୍ଥାନରୁ ଗିରଫ କରି ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣିଥିଲା ପୋଲିସ । ସଦର ଥାନା ଅଞ୍ଚଳରେ ରଞ୍ଜନ ମଲ୍ଲିକ ଓ ସରୋଜ ପଣ୍ଡା ଖସିବାକୁ ଉଦ୍ୟମ କରିବା ବେଳେ ଉଭୟଙ୍କୁ ଏନକାଉଣ୍ଟର କରିଥିଲା ପୋଲିସ । ଅନ୍ୟ ଦୁଇ ଅଭିଯୁକ୍ତ ମୁକେଶ ସାହୁ ଓ ସୁମିତ ସିଂଙ୍କୁ ଗତ ଜୁନ ୨୬ ତାରିଖରେ ଗିରଫ କରି କୋର୍ଟଚାଲାଣ କରାଯାଇଥିଲା ।



