ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା, କାର୍ତ୍ତିକ ଆରିୟାନ୍ ଓ ୟାମୀ ଗୌତମ ଶ୍ରେଷ୍ଠ ଅଭିନେତା ଅଭିନେତ୍ରୀ

ଘୋଷଣା ହେଲା ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ଚଳଚ୍ଚିତ୍ର ଓ କଳାକାରଙ୍କ ନାମ। ନୂଆଦିଲ୍ଲୀର ଜାତୀୟ ମିଡିଆ ସେଣ୍ଟରଠାରେ ବିଜେତାଙ୍କ ନାମ ଘୋଷଣା କରିଛି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ। ୨୦୨୪ ମସିହାର ଶ୍ରେଷ୍ଠ ଚଳଚ୍ଚିତ୍ର ଓ କଳାକାରଙ୍କ ନାମ ଘୋଷଣା କରିଛନ୍ତି ୧୧ଜଣିଆ ଜୁରି ସଦସ୍ୟ। ମାଲାୟାଲମ୍ ଚଳଚ୍ଚିତ୍ର ନିର୍ମାତା ଜୟରାଜଙ୍କ ନେତୃତ୍ୱରେ ଗଠିତ ୧୧ ଜଣିଆ ଜୁରୀ ସଦସ୍ୟ ଘୋଷଣା କରିଛନ୍ତି ବିଜେତା କଳାକାର ନାମ ଓ ଚଳଚ୍ଚିତ୍ର।
ଆଞ୍ଚଳିକ ଚଳଚ୍ଚିତ୍ର ମଧ୍ୟରୁ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ଲହରୀକୁ ଚୟନ କରିଛି ଜୁରୀମଣ୍ଡଳୀ। ୧ ଜାନୁଆରୀ ୨୦୨୪ରୁ ୩୧ ଡିସେମ୍ବର ୨୦୨୪ ମଧ୍ୟରେ CBFC ସାର୍ଟିଫିକେଟଧାରୀ ଚଳଚ୍ଚିତ୍ର ପାଇଁ ଘୋଷଣା କରାଯାଇଛି ବିଜେତା। ଶ୍ରେଷ୍ଠ ଅଭିନେତା ପାଇଁ ଚନ୍ଦୁ ଚାମ୍ପିଅନର କାର୍ତ୍ତିକ ଆରିୟାନ୍ , ବ୍ରହ୍ମାୟୁଗମ୍ ର ମାମୁଟି ଚୟନ ହୋଇଛନ୍ତି।
ସେହିପରି ହିନ୍ଦୀ ଚଳଚ୍ଚିତ୍ର ଆର୍ଟିକିଲ୍ ୩୭୦ ପାଇଁ ୟାମୀ ଗୌତମଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ, ଆମାରନ୍ ପାଇଁ ରାଜକୁମାର ପେରିଆସାମିଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ଚୟନ କରାଯାଇଛି। ଏହାବାଦ ଶ୍ରେଷ୍ଠ ସଂଳାପ ପାଇଁ ପୁଷ୍କା-୨ର ନିର୍ଦ୍ଦେଶକ ସୁକୁମାରଙ୍କୁ ଚୟନ କରିଛି ୧୧ ଜଣିଆ ଜୁରୀମଣ୍ଡଳୀ। ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ପାଇଁ ରାଜକୁମାର ରାଓଙ୍କ ଅଭିନୀତ ବାୟୋପିକ ପ୍ରେରିତ ଚଳଚ୍ଚିତ୍ର ‘ଶ୍ରୀକାନ୍ତ’କୁ ଶ୍ରେଷ୍ଠ ହିନ୍ଦୀ ଫିଚର ଫିଲ୍ମ ପାଇଁ ଚୟନ କରାଯାଇଛି। ସେହିପରି ଆଞ୍ଚଳିକ ସିନେମା ତେଲୁଗୁ ଭାଷାରେ ‘କମିଟି କୁର୍ରୋଲୁ’ , ତାମିଲ ଭାଷାରେ ଧନୁଷଙ୍କ ନିର୍ଦ୍ଦେଶିତ ‘ରାୟନ’କୁ ଶ୍ରେଷ୍ଠ ଆଞ୍ଚଳିକ ଚଳଚ୍ଚିତ୍ର ଭାବେ ଘୋଷଣା କରାଯାଇଛି।




