YouTube ଦେଖାଇଲା ରୋଜଗାରର ବାଟ, ଯୁବକ ହେଲେ ଲକ୍ଷପତି !

ସୋସିଆଲ ମିଡିଆ ଆଜି କେବଳ ମନୋରଞ୍ଜନର ମାଧ୍ୟମ ହୋଇ ରହିନାହିଁ, ବରଂ ଅନେକ ଲୋକଙ୍କ ପାଇଁ ଏହା ରୋଜଗାରର ପନ୍ଥା ପାଲଟିଛି । ଯାହାର ଏକ ପ୍ରମାଣ ସମସ୍ତିପୁର ଜିଲ୍ଲାର ମୋରୱା ପ୍ରଖଣ୍ଡ ଅଞ୍ଚଳରେ ରହୁଥିବା ଦୀପୁ କୁମାର । ଯିଏକି ୟୁଟ୍ୟୁବ୍ରୁ ବତକ ପାଳନର ପ୍ରକ୍ରିୟା ଶିଖି ଏହାକୁ ନିଜ ରୋଜଗାରର ମାଧ୍ୟମ କରିବାରେ ସଫଳ ହୋଇଛନ୍ତି ।
ଦୀପୁ କୁମାର ନନ୍ଦିନୀ ଲଗୁନିଆ ରେଳ ଷ୍ଟେସନ ନିକଟରେ ପ୍ରାୟ ୧୩୫୦ଟି ବତକ ପାଳନ କରୁଥିବା କହିଛନ୍ତି । ଠିକ୍ ଭାବେ ଯତ୍ନ ନେବା ସହ ଠିକ୍ ସମୟରେ ଦାନା-ପାଣି ଦେଇ ବତକ ପାଳନରୁ ଭଲ ଆୟ କରୁଛନ୍ତି ।
ସେ କହିଛନ୍ତି ଯେ, ପୂର୍ବରୁ ସେ ଏକ କୁକୁଡ଼ା ଫାର୍ମ ଚଳାଉଥିଲେ, କିନ୍ତୁ ଆଶା ଅନୁଯାୟୀ ଆୟ ହେଉନଥିଲା । ଏହି ସମୟରେ ସୋସିଆଲ ମିଡିଆରେ ବତକ ପାଳନ ସମ୍ପର୍କିତ ଅନେକ ଭିଡିଓ ଦେଖିବା ସହ ଏନେଇ ତଥ୍ୟ ସଂଗ୍ରହ କରିଥିଲେ । ଏହାପରେ ସେ ବତକ ପାଳନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ । ଏବେ ତାଙ୍କ ବ୍ୟବସାୟ ଧୀରେ ଧୀରେ ଆଗକୁ ବଢ଼ୁଛି ଏବଂ ସମସ୍ତ ଖର୍ଚ୍ଚ ଯାଇ ପ୍ରତି ମାସରେ ସେ ୭୦ ହଜାର ଟଙ୍କାରୁ ଅଧିକ ଆୟ କରୁଛନ୍ତି ।
ସଫାସୁତୁରା ଓ ରୋଗ ନିରାକରଣ ଉପରେ ବିଶେଷ ଧ୍ୟାନ:
ଦୀପୁ କୁମାର କହିଛନ୍ତି ଯେ, ବତକ ପାଳନରେ ସବୁଠାରୁ ଜରୁରୀ ହେଉଛି ନିୟମିତ ଯତ୍ନ । ସେ ସକାଳ ଓ ସନ୍ଧ୍ୟାରେ ବତକମାନଙ୍କ ପାଇଁ ଦାନା-ପାଣିର ବ୍ୟବସ୍ଥା କରନ୍ତି । ଆବଶ୍ୟକ ପଡ଼ିଲେ ଔଷଧ ମଧ୍ୟ ଦିଆଯାଏ । ବେଳେବେଳେ ବତକମାନଙ୍କଠାରେ ଶ୍ୱାସକ୍ରିୟା ସମ୍ପର୍କିତ ସମସ୍ୟା ଏବଂ ପର ଜନିତ ସମସ୍ୟା ଦେଖାଯାଏ । ଏଥିପାଇଁ ଉଚିତ ସମୟରେ ଚିକିତ୍ସା କରିବାକୁ ପଡ଼େ ।
ଏହାସହ ଫାର୍ମରେ ସଂକ୍ରମଣ ଆଶଙ୍କା ନରହିବା ପାଇଁ ସପ୍ତାହରେ ଦୁଇ ଦିନ ଭଲ ଭାବେ ସଫାସୁତୁରା କରାଯାଏ ଏବଂ ଚୂନ ମଧ୍ୟ ପକାଯାଏ ।
ବର୍ତ୍ତମାନ ତାଙ୍କ ଫାର୍ମରେ ପ୍ରାୟ ୧୩୫୦ଟି ବତକ ରହିଛି । କିଛି ଦିନ ପୂର୍ବରୁ ତାଙ୍କ ପାଖରେ ପ୍ରାୟ ୨୦୦୦ଟି ବତକ ଥିଲେ । ସେଥିମଧ୍ୟରୁ ଅତିରିକ୍ତ ଅଣ୍ଡିରା ବତକଗୁଡ଼ିକୁ ବିକ୍ରି କରିଦିଆଯାଇଛି । ତାଙ୍କର ମୁଖ୍ୟ ଲକ୍ଷ୍ୟ ଅଣ୍ଡା ଉତ୍ପାଦନ ହୋଇଥିବାରୁ ସେ ଅଧିକ ସଂଖ୍ୟକ ମାଈ ବତକ ରଖିଛନ୍ତି । ଦୀପୁଙ୍କ ଅନୁଯାୟୀ, ପ୍ରାୟ ୨୦୦୦ଟି ବତକ ଛୁଆଙ୍କୁ ପ୍ରସ୍ତୁତ କରିବାରେ ପ୍ରାୟ ୧ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ଏହା ସହ ପ୍ରତିଦିନ ପ୍ରାୟ ୯ ହଜାର ଟଙ୍କାର ଦାନା ଖର୍ଚ୍ଚ ହୋଇଥାଏ ।
୧୧.୫୦ ଟଙ୍କାରେ କିଣାଯାଉଛି ଗୋଟିଏ ବତକ ଅଣ୍ଡା:
ଦୀପୁ କୁମାରଙ୍କ କହିଛନ୍ତି, ବତକ ପାଳନରେ ଅଣ୍ଡାରୁ ମଧ୍ୟ ଭଲ ଆୟ ହେଉଛି । ବର୍ତ୍ତମାନ ହ୍ୟାଚେରୀରେ ଗୋଟିଏ ବତକ ଅଣ୍ଡା ପ୍ରାୟ ୧୧ ଟଙ୍କା ୫୦ ପଇସାରେ କିଣାଯାଉଛି । ତାଙ୍କ ଫାର୍ମରୁ ବାହାରୁଥିବା ଅଣ୍ଡା ସମସ୍ତିପୁର ସମେତ ଅନ୍ୟ ଅଞ୍ଚଳକୁ ମଧ୍ୟ ପଠାଯାଉଛି । ଏପରିକି ସିକ୍କିମ ପର୍ଯ୍ୟନ୍ତ ମଧ୍ୟ ତାଙ୍କ ଫାର୍ମର ଅଣ୍ଡା ପହଞ୍ଚୁଛି ।
ଏହା ବ୍ୟତୀତ ସମସ୍ତିପୁରରେ ଥିବା ହ୍ୟାଚେରୀକୁ ମଧ୍ୟ ଅଣ୍ଡା ପଠାଯାଇପାରୁଛି । ବତକମାନଙ୍କର ଅଣ୍ଡା ଦେବାର ସମୟ ଶେଷ ହେବା ପରେ ସେଗୁଡ଼ିକୁ ମାଂସ ପାଇଁ ମଧ୍ୟ ଗ୍ରାହକମାନେ କିଣି ନେଉଛନ୍ତି । ଫଳରେ ଏଥିରୁ ଅତିରିକ୍ତ ଆୟ ମଧ୍ୟ ହେଉଛି । ଦୀପୁ କହିଛନ୍ତି ଯେ, ବତକ ପାଳନ ଦେଖିବାକୁ ସହଜ ଲାଗୁଥିଲେ ମଧ୍ୟ ଏଥିପାଇଁ ନିରନ୍ତର ପରିଶ୍ରମ, ସଫାସୁତୁରା ଏବଂ ସମୟରେ ଯତ୍ନ ନେବା ଅତ୍ୟନ୍ତ ଜରୁରୀ ।




