ସାଲେପୁରରୁ ବିଜେଡି ଟିକେଟ ନେବେ ପ୍ରକାଶ ! – Sahana Mela
[ad_1]
ଆଜି ବିଜେଡିରେ ମିଶିପାରନ୍ତି ପ୍ରକାଶ ବେହେରା
ଭୁବନେଶ୍ୱର: ପ୍ରାର୍ଥୀ ଘୋଷଣା ପୂର୍ବରୁ ରାଜ୍ୟ ବିଜେପିକୁ ଝଟକା ଦେଲେ ପ୍ରକାଶ ବେହେରା । କଟକ ଜିଲ୍ଲା ସଭାପତି ପ୍ରକାଶ ବେହେରା ବିଜେପିରୁ ଇସ୍ତଫା ଦେବାକୁ ନେଇ ଚର୍ଚ୍ଚା ଜୋର ଧରିଛି । କାହିଁକି ସେ ବିଜେପି ଛାଡିଲେ ? ଏହା ପଛରେ କାରଣ କଣ ହୋଇପାରେ ? ସେ ସାଲେପୁରରୁ ଟିକେଟ ଦାବିଦାର ବି ଥିଲେ । ଏମିତି କଣ ହେଲା ଯେ ପ୍ରକାଶ ହଠାତ୍ ବିଜେପିରୁ ଇସ୍ତଫା ଦେଇଦେଲେ ? ଚର୍ଚ୍ଚା ହେଉଛି ପ୍ରକାଶ ଫୁଙ୍କିବେ ଶଙ୍ଖ । ଆଜି ସେ ବିଜେଡିରେ ଯୋଗ ଦେଇପାରନ୍ତି । ସାଲେପୁରରୁ ବିଜେଡି ଟିକେଟ ନେଇ ନିର୍ବାଚନ ଲଢ଼ିବେ ବୋଲି ରାଜ୍ୟ ରାଜନୀତିରେ ପ୍ରବଳ ଚର୍ଚ୍ଚା ହେଉଛି ।
ଶଙ୍ଖ ଫୁଙ୍କିବେ ପ୍ରକାଶ ବେହେରା
କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ର ପାଇଁ ବ୍ୟୂହ ରଚନା କରୁଛି ବିଜେଡି । ନିକଟରେ ଜିଲ୍ଲାର ଦୁଇ ଯୁବ ଚେହେରା ଅଂଶୁମାନ ମହାନ୍ତି ଓ ଅରବିନ୍ଦ ମହାପାତ୍ର ବିଜେଡିରେ ଯୋଗ ଦେଇଥିଲେ । ପୂର୍ବତନ ମନ୍ତ୍ରୀ ତଥା ଦିବଂଗତ ନେତା ନଳିନୀକାନ୍ତ ମହାନ୍ତିଙ୍କ ପୁଅ ଅଂଶୁମାନ କଂଗ୍ରେସ ଛାଡି ଶଙ୍ଖ ଫୁଙ୍କିଥିଲେ । ସେହିପରି ଭେଟେରାନ୍ ବିଜୟ ମହାପାତ୍ରଙ୍କ ପୁତ୍ର ଅରବିନ୍ଦଙ୍କୁ ବି କୋଳେଇ ନେଇଛି ବିଜେଡି । ଦୁହିଁଙ୍କୁ ପୁରସ୍କାର ଭାବରେ ନିର୍ବାଚନ ଟିକେଟ ମିଳିଛି । ଅଂଶୁମାନ କେନ୍ଦ୍ରପଡ଼ା ଲୋକସଭା ଓ ଅରବିନ୍ଦଙ୍କୁ ବାପାଙ୍କ ଗଡ଼ ପାଟକୁରା ମିଳିଛି । ଏବେ ପ୍ରକାଶ ବେହେରାଙ୍କୁ ଦଳରେ ମିଶାଇ କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ରରେ ଶକ୍ତି ବୃଦ୍ଧି ପାଇଁ ବଡ଼ ପ୍ଲାନ କରିଛି ବିଜେଡି । ପ୍ରକାଶ ମିଶିଲେ ସେ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ।
ପ୍ରକାଶ ବିଜେପି ଛାଡିବା ନେଇ କଳ୍ପନାଜଳ୍ପନା
୨୦୧୪ରେ ପ୍ରକାଶ ବେହେରା କଂଗ୍ରେସରୁ ବିଧାୟକ ଥିଲେ । ୨୦୧୯ ନିର୍ବାଚନ ପୂର୍ବରୁ ସେ ହାତ ସହ ସମ୍ପର୍କ କାଟି ପଦ୍ମ ଧରିଥିଲେ । ଗତ ନିର୍ବାଚନରେ ବିଜେଡିର ପ୍ରଶାନ୍ତ ବେହେରାଙ୍କଠାରୁ ହାରିଥିଲେ ପ୍ରକାଶ ବେହେରା । ତାଙ୍କ ବିଜେପି କଟକ ଜିଲ୍ଲା ସଭାପତି କରିଥିଲା । କଟକ ଜିଲ୍ଲା ସମେତ ନିଜ ନିର୍ବାଚନ ମଣ୍ଡଳୀ ସାଲେପୁରରେ ସଂଗଠନକୁ ସୁଦୃଢ଼ କରିବାରେ ଲାଗିଥିଲେ । ଏବେ ବିଜେପି ବିଧାନସଭା ପ୍ରାର୍ଥୀ ଘୋଷଣା ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ଅଚାନକ ପ୍ରକାଶ ଦଳ ଛାଡିବାକୁ ନେଇ କଳ୍ପନାଜଳ୍ପନା ଚାଲିଛି ।
୨୦୦୦ ମସିହାରୁ ସାଲେପୁର ପ୍ରାର୍ଥୀ
୨୦୦୦ ମସିହାରୁ ସାଲେପୁରରୁ ପ୍ରାର୍ଥୀ ହୋଇ ଆସୁଛନ୍ତି ପ୍ରକାଶ ବେହେରା । ୨୦୧୪ ଯାଏ ସେ କଂଗ୍ରେସ ଟିକେଟରେ ପ୍ରାର୍ଥୀ ହୋଇ ଥରେ ଜିତିଥିଲେ । ୨୦୦୦ ମସିହାରେ ସ୍ୱର୍ଗତ କାଳନ୍ଦୀ ବେହେରାଙ୍କଠାରୁ ୨୬ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ହାରିଥିଲେ । ୨୦୦୪ରେ କାଳନ୍ଦୀ ବେହେରାଙ୍କୁ କଡ଼ା ଟକ୍କର ଦେଇଥିଲେ ପ୍ରକାଶ ବେହେରା । ବିଜେଡିଠାରୁ ୮ହଜାର ୭ଶହରୁ ଅଧିକ ଭୋଟ୍ ମାର୍ଜିନରେ ପରାସ୍ତ ହୋଇଥିଲେ । ୨୦୦୯ରେ ପ୍ରକାଶ ବେହେରାଙ୍କୁ ୧୨ ହଜାର ୭୭ ଖଣ୍ଡ ବ୍ୟବଧାନରେ ପୁଣି ପରାସ୍ତ କରିଥିଲେ ବିଜେଡି ପ୍ରାର୍ଥୀ ଚନ୍ଦ୍ର ସାରଥୀ ବେହେରା । ୨୦୧୪ରେ ପ୍ରାର୍ଥୀ ବଦଳାଇଥିଲା ବିଜେଡି । ଆଉ ଜିତିଥିଲେ ପ୍ରକାଶ ବେହେରା । ୨୦୧୪ରେ ବିଜେଡି ପ୍ରାର୍ଥୀ ତଥା ବର୍ତ୍ତମାନ ସାଲେପୁର ବିଧାୟକ ଥିବା ପ୍ରଶାନ୍ତ ବେହେରାଙ୍କୁ ୨୧ହଜାର ୧୭ଖଣ୍ଡ ଭୋଟ ମାର୍ଜିନରେ ପରାସ୍ତ କରିଥିଲେ ।
୨୦୧୯ ନିର୍ବାଚନ ପୂର୍ବରୁ ବିଜେପିରେ ସାମିଲ
୨୦୧୯ ନିର୍ବାଚନ ପୂର୍ବରୁ ଦଳ ବଦଳାଇ ବିଜେପି କ୍ୟାମ୍ପରେ ନାଁ ଲେଖାଇଥିଲେ ପ୍ରକାଶ । ବିଜେଡିର ପ୍ରଶାନ୍ତ ବେହେରାଙ୍କଠାରୁ ୩୨ହଜାରରୁ ଅଧିକ ଭୋଟରେ ହାରିଥିଲେ । ୨୦୨୪ ପାଇଁ ଫୁଲ୍ ଦମରେ ସଜବାଜ ହେଉଥିଲେ ପ୍ରକାଶ । ଏମିତି କଣ ହେଲା କେଜାଣି ହଠାତ୍ ବିଜେପିରୁ ମୋହ ଭାଙ୍ଗିଗଲା । ଇସ୍ତଫା ଦେଇଦେଲେ ଓ ଦଳ ଛାଡିଦେଲେ । ବିଜେଡି ଆଡ଼େ ଢଳିଥିବା ଚର୍ଚ୍ଚା ହେଉଛି । ଆଜି ଶଙ୍ଖ ଭବନରେ ଏକ ମିଶ୍ରଣ ପର୍ବ ଥିବାରୁ ସେ ବିଜେଡିରେ ମିଶିବେ ଓ ସାଲେପୁରରୁ ଲଢ଼ିବେ ବୋଲି ଶୁଣିବାକୁ ମିଳୁଛି ।
[ad_2]