ଖେଳ ଖବର

ଆସନ୍ତା ୩ରୁ ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌: ୪ ତାରିଖରେ ନ୍ୟୁଜିଲାଣ୍ଡକୁ ଭେଟିବ ଭାରତ, ୬ରେ ଭାରତ-ପାକିସ୍ତାନ ଲଢ଼େଇ

ନୂଆଦିଲ୍ଲୀ,୨୭/୦୯: ଅକ୍ଟୋବର ୩ ତାରିଖରୁ ୟୁଏଇରେ ଆରମ୍ଭ ହେବାକୁ ଯାଉଛି ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍ର ନବମ ସଂସ୍କରଣ । ଟୁର୍ଣ୍ଣାମେଣ୍ଟ ବାଂଲାଦେଶରେ ଆୟୋଜିତ ହେବାର ଥିଲା । କିନ୍ତୁ ବାଂଲାଦେଶରେ ରାଜନୈତିକ ଅସ୍ଥିରତାକୁ ଦୃଷ୍ଟିରେ ରଖି ଆଇସିସି ଶେଷରେ ବିଶ୍ୱକପ୍ ୟୁଏଇକୁ ସ୍ଥାନାନ୍ତର କରିଥିଲା । ଦୁବାଇ ଓ ସାରଜାରେ ଟୁର୍ଣ୍ଣାମେଣ୍ଟର ୨୩ଟି ମ୍ୟାଚ୍ ଖେଳାଯିବ ।

ଦୁଇଟି ଗ୍ରୁପ୍ରେ ମୋଟ୍ ୧୦ଟି ଦଳ ଏଥର ସଂସ୍କରଣରେ ରହିଛନ୍ତି । ଗ୍ରୁପ୍ ଏ’ରେ ଭାରତ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ପାକିସ୍ତାନ ଓ ଶ୍ରୀଲଙ୍କା । ସେହିପରି ଗ୍ରୁପ୍ ବି’ରେ ଦକ୍ଷିଣ ଆଫ୍ରିକା, ବାଂଲାଦେଶ, ଇଂଲଣ୍ଡ, ସ୍କଟଲାଣ୍ଡ ଏବଂ ୱେଷ୍ଟଇଣ୍ଡିଜ ରହିଛନ୍ତି ।

କଷ୍ଟକର ଗ୍ରୁପ୍ରେ ଭାରତ

ଭାରତୀୟ ମହିଳା ଦଳ ଏଥର ଗ୍ରୁପ୍ ଏ’ର ବିଶ୍ୱର ୪ ଟାଣୁଆ ଦଳକୁ ଭେଟିବ । ଅକ୍ଟୋବର ୪ ତାରିଖରେ ନ୍ୟୁଜିଲାଣ୍ଡ ବିପକ୍ଷରେ ବିଶ୍ୱକପ୍ରେ ଅଭିଯାନ ଆରମ୍ଭ କରିବ । ୬ ତାରିଖରେ ଟୁର୍ଣ୍ଣାମେଣ୍ଟର ହାଇଭୋଲ୍ଟେଜ ଲଢ଼େଇରେ ମୁହାଁମୁହିଁ ହେବେ ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ । ଏହାପରେ ୯ ତାରିଖରେ ଶ୍ରୀଲଙ୍କା ଏବଂ ୧୩ ତାରିଖରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ଭେଟିବାର ସୂଚୀ ରହିଛି ।

ହର୍ମନପ୍ରୀତ ଦୃଢ଼ ଆଶାବାଦୀ

ହର୍ମନପ୍ରୀତଙ୍କ ନେତୃତ୍ୱରେ ଭାରତୀୟ ଦଳ ଏଥର ବିଶ୍ୱକପ୍ ଜିତିବାକୁ ଲକ୍ଷ୍ୟ ରଖିଛି । ଟୁର୍ଣ୍ଣାମେଣ୍ଟର ୮ଟି ସଂସ୍କରଣ ଶେଷ ହୋଇଥିଲେ ବି ଭାରତ ଥରୁଟିଏ ବି ଚାମ୍ପିଅନ ହେବାର ସୁଯୋଗ ପାଇ ନାହିଁ । ୨୦୨୦ରେ ରନର୍ସଅପ୍ ହୋଇଥିଲା । ଏଥର ଅଧିନାୟକ ହର୍ମନପ୍ରୀତ ବେଶ ଦୃଢ଼ ଆଶାବାଦୀ ରହିଛନ୍ତି । ସେ ୨୦୦୯ରୁ ନିୟମିତ ଭାବେ ୮ଟି ସଂସ୍କରଣ ଖେଳିବାର ଅଭିଜ୍ଞତା ରଖିଛନ୍ତି ।

ସେ କହିଛନ୍ତି,‘ଭାରତୀୟ ୧୫ ଜଣିଆ ଦଳରେ ୧୨ ଜଣ ଖେଳାଳି ଅଭିଜ୍ଞ ରହିବ । କେବଳ ଶ୍ରୀୟଙ୍କା ପାଟିଲ, ଆଶା ଶୋଭନା ଏବଂ ଏସ୍. ସଜନା ପ୍ରଥମ ଥର ବିଶ୍ୱକପ୍ ଖେଳିବାକୁ ଯାଉଛନ୍ତି । ଦଳର ସାମର୍ଥ୍ୟ ଉପରେ ମୋର ପୂର୍ଣ୍ଣ ଭରସା ରହିଛି । ଏଥର ଆମେ ଶ୍ରେଷ୍ଠ ଦଳ ସହ ବିଶ୍ୱକପ୍ରେ ଲଢ଼େଇ କରିବୁ । ଦଳର ପ୍ରତ୍ୟେକ ଖେଳାଳି ଭଲ ଫର୍ମରେ ରହିଛନ୍ତି । ତେଣୁ ପ୍ରତ୍ୟେକ ମ୍ୟାଚ୍ରେ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପ୍ରସ୍ତୁତ ରହିଛୁ ।’

ଭାରତୀୟ ବିଶ୍ୱକପ୍ ଦଳ

ହର୍ମନପ୍ରୀତ କୌର (ଅଧିନାୟିକା), ସ୍ମୃତି ମନ୍ଧନା, ୟସ୍ତିକା ଭାଟିଆ, ରିଚା ଘୋଷ, ଦୟାଲାନ ହେମଲତା, ଜେମିମା ରୋଡ୍ରିକ୍ସ, ଶେଫାଳି ବର୍ମା, ଶ୍ରୀୟଙ୍କା ପାଟିଲ, ସଜୀବନ ସଜନା, ଦୀପ୍ତି ଶର୍ମା, ଆଶା ଶୋଭନା, ଅରୁଣନ୍ଧତୀ ରେଡ୍ଡୀ, ରେଣୁକା ସିଂ, ପୂରା ବସ୍ତ୍ରକାର ଓ ରାଧା ଯାଦବ।

Leave a Reply

Your email address will not be published. Required fields are marked *

Back to top button