ୱାୟନାଡରୁ ବିପୁଳ ବିଜୟ ଅଭିମୁଖେ ପ୍ରିୟଙ୍କା ଗାନ୍ଧି…, ୩ ଲକ୍ଷ ଭୋଟରେ ଆଗୁଆ

କେରଳର ୱାୟନାଡ ଲୋକସଭା ଆସନରେ ଲିଡ୍ କରୁଛନ୍ତି ପ୍ରିୟଙ୍କା ଗାନ୍ଧି ଭଦ୍ରା । ଏଠାରେ ନଭେମ୍ବର ୧୩ରେ ହୋଇଥିବା ଉପନିର୍ବାଚନର ଭୋଟ୍ ଗଣନା ଜାରି ଥିବା ବେଳେ ପ୍ରିୟଙ୍କା ଗାନ୍ଧି ଭଦ୍ରା ବୃହତ ବିଜୟ ଅଭିମୁଖେ ଅଛନ୍ତି । ୩ ଲକ୍ଷରୁ ଅଧିକ ଭୋଟରେ ଆଗୁଆ ଚାଲିଛନ୍ତି ପ୍ରିୟଙ୍କା । ନିଜର ରାଜନୈତିକ କ୍ୟାରିୟରର ଏହା ହେଉଛି ପ୍ରିୟଙ୍କାଙ୍କ ପ୍ରଥମ ନିର୍ବାଚନ । ସିପିଆଇର ବରିଷ୍ଠ ନେତା ସତ୍ୟନ୍ ମୋକେରୀ ଏବଂ ବିଜେପିର ନବ୍ୟା ହରିଦାସଙ୍କ ସହ ତାଙ୍କର କଡ଼ା ମୁକାବିଲା ଚାଲିଛି ।
ମଧ୍ୟାହ୍ନ ୧୨ଟା ରିପୋର୍ଟ ସୁଦ୍ଧା ପ୍ରିୟଙ୍କା ଗାନ୍ଧି ୪.୬ ଲକ୍ଷରୁ ଅଧିକ ଭୋଟ୍ ପାଇ ଆଗରେ ଥିବାବେଳେ ସତ୍ୟନ୍ ମୋକେରୀ ପାଇଛନ୍ତି ୧.୫ ଲକ୍ଷ ଭୋଟ୍ । ଏହିପରି ନବ୍ୟା ହରିଦାସଙ୍କୁ ମିଳିଛି ୮୪,୦୦୦ ଭୋଟ୍ । ପ୍ରିୟଙ୍କାଙ୍କ ବ୍ୟତୀତ ୱାୟନାଡରୁ ମୋଟ ୧୬ ଜଣ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ପ୍ରିୟଙ୍କା ଗାନ୍ଧି ପ୍ରଥମ ଥର ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ।
ରାହୁଲ ଗାନ୍ଧିଙ୍କ ଇସ୍ତଫା ପରେ ଖାଲି ହୋଇଥିଲା ୱାୟନାଡ ଲୋକସଭା ଆସନ । ୨୦୨୪ ଲୋକସଭା ନିର୍ବାଚନରେ ରାହୁଲ ୱାୟନାଡ ବ୍ୟତୀତ ଉତ୍ତର ପ୍ରଦେଶର ରାୟବରେଲିରୁ ମଧ୍ୟ ନିର୍ବାଚନ ଲଢ଼ିଥିଲେ । ଉଭୟ ଆସନରେ ବିଜୟୀ ହେବା ପରେ ରାହୁଲ ୱାୟନାଡ ଆସନ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ । ଏଠାରୁ ଉପନିର୍ବାଚନରେ ପ୍ରିୟଙ୍କା ଗାନ୍ଧି ମୈଦାନକୁ ଓହ୍ଲାଇଥିଲେ ।