ବିଳମ୍ବିତ ରାତିରେ ରାଜଧାନୀରେ ଛାତିଥରା ଦୁର୍ଘଟଣା, ଝୁମ୍ପୁଡି ଭିତରକୁ ପଶିଗଲା SUV କାର୍

ବିଳମ୍ବିତ ରାତିରେ ରାଜଧାନୀରେ ଛାତିଥରା ଦୁର୍ଘଟଣା । ଆତଙ୍କ ଖେଳାଇଲା ନିଶାସକ୍ତ ଡ୍ରାଇଭର । ଝୁମ୍ପୁଡିରେ ପଶିଗଲା SUV କାର୍ । ଅଳ୍ପକେ ବର୍ତ୍ତିଗଲେ ଘର ଭିତରେ ଥିବା ଲୋକ । ଗାଡ଼ିଟି ଜୋରରେ ପିଟି ହେବା କାରଣରୁ ଝୁମ୍ପୁଡ଼ି ଘର ସଂପୂର୍ଣ୍ଣ ଭାଙ୍ଗିଯାଇଛି । ଭୁବନେଶ୍ବର ଧିରିକୁଟି ବସ୍ତିରେ ଏଭଳି ଦୁର୍ଘଟଣା ଘଟିଛି । ଘଟଣା ପରେ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । ମଞ୍ଚେଶ୍ବର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିକୁ ଜବତ କରିବ ସହ ଚାଳକକୁ ଅଟକ ରଖିଛି ।
ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ମଞ୍ଚେଶ୍ବର ରେଳ ଡବା କାରଖାନା ଆଡ଼ୁ ଏକ କାରଟି ଦ୍ରୁତଗତିରେ ଆସିଥିଲା । ଗାଡ଼ିଟି ଭାରସାମ୍ୟ ହରାଇ ସିଧା ବସ୍ତି ଭିତରକୁ ଯାଇଥିଲା ଏବଂ ଜଣଙ୍କ ଝୁମ୍ପୁଡ଼ି ଘର ଉପରକୁ ମାଡ଼ି ଯାଇଥିଲା । ଗାଡ଼ିର ବେଗ ଏତେ ଦ୍ରୁତ ଥିଲା ଯେ ଘର ସହିତ ତାଙ୍କ ପଡ଼ୋଶୀଙ୍କ କାନ୍ଥ ଭାଙ୍ଗି ଦେଇଥିଲା ଏବଂ ଅଟକି ଯାଇଥିଲା । ସୌଭାଗ୍ୟକୁ ଝୁମ୍ପୁଡ଼ିର ଶୋଇବା ଘର ବେଶି କ୍ଷତିଗ୍ରସ୍ତ ହୋଇନଥିଲା। ସେହିଭଳି କାନ୍ଥ ଭାଙ୍ଗିଯିବାରୁ ଭିତରେ ଶୋଇଥିବା କିଛି ଲୋକ ଆହତ ହୋଇଥିଲେ । ଏଥିସହିତ କାର୍ ଧକ୍କାରେ ଦୁଇଟି ବାଇକ୍ ମଧ୍ୟ ଭାଙ୍ଗିଯାଇଛି। ଘଟଣା ପରେ ବସ୍ତି ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । ଆହତ ଲୋକଙ୍କ ଚିତ୍କାର ଶୁଣି ବସ୍ତିବାସିନ୍ଦାମାନେ ଘଟଣାସ୍ଥଳକୁ ଧାଇଁ ଆସିଥିଲେ । ସେମାନେ ଗାଡ଼ିଟିକୁ ବାଡ଼େଇ ଭାଙ୍ଗିଦେବା ସହିତ ଚାଳକକୁ ବାନ୍ଧି ମାରଧର କରିଥିଲେ। ଖବର ପାଇ ଚନ୍ଦ୍ରଶେଖରପୁର ଥାନା ଓ ମଞ୍ଚେଶ୍ବର ଥାନା ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସେମାନଙ୍କ କବଳରୁ ଚାଳକକୁ ଉଦ୍ଧାର କରି ଥାନାକୁ ନେଇଥିଲା।




