ଶହେ ଦିନ ପୂରିଲା.ସଂପ୍ରସାରଣ କେବେ?

ଭୁବନେଶ୍ବର: ରାଜ୍ୟରେ ପ୍ରଥମ ଥର ପାଇଁ କ୍ଷମତାକୁ ଆସିଥିବା ବିଜେପି ସରକାରକୁ ଶହେ ଦିନ ପୂରିଛି । ହେଲେ ଏପର୍ଯ୍ୟନ୍ତ ମନ୍ତ୍ରିମଣ୍ଡଳ ସଂପ୍ରସାରଣ କରିନାହାନ୍ତି ମୋହନ ସରକାର। ୨୨ ଜାଗାରେ ୧୬ଜଣ ମନ୍ତ୍ରୀ ସାମିଲ ହୋଇଥିବା ବେଳେ ଆହୁରି ୬ଟି ପଦବୀ ଖାଲି ପଡିଛି । ଚର୍ଚ୍ଚା ହେଉଥିଲା, ଶପଥ ଗ୍ରହଣ ସମାରୋହର କିଛି ଦିନ ପରେ ପୁଣି କିଛି ନେତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରିବା ସହ ବିଭାଗ ବାଣ୍ଟିବେ ସରକାର ।
ଅନେକ ବିଜେପି ନେତାଙ୍କ ନାଁ ବି ଏଥିପାଇଁ ଚର୍ଚ୍ଚା ହେଲା । ହେଲେ ସରକାରକୁ ତିନି ମାସ ପୂରିଥିଲେ ବି ପଦବୀ ପୂରଣ ପାଇଁ ତତ୍ପରତା ପ୍ରକାଶ ପାଇନି । ମନ୍ତ୍ରୀଙ୍କ ପାଖରେ ଏକାଧିକ ଗୁରୁତ୍ବପୂର୍ଣ୍ଣ ବିଭାଗ ରହିଥିବାରୁ କାର୍ଯ୍ୟଦକ୍ଷତା ଉପରେ ବି ଏହାର ପ୍ରଭାବ ପଡୁଛି ।
ମୁଖ୍ୟମନ୍ତ୍ରୀଙ୍କ ପାଖରେ ୬ବିଭାଗ
ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପାଖରେ ରହିଛି ୬ଟି ଗୁରୁତ୍ବପୂର୍ଣ୍ଣ ବିଭାଗ । ଗୃହ, ସାଧାରଣ ପ୍ରଶାସନ, ଅର୍ଥ, ଜଳସଂପଦ, ସୂଚନା ଓ ଲୋକସଂପର୍କ, ଯୋଜନା ଓ ସଂଯୋଜନ ନିଜ ପାଖରେ ରଖିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ ବଢୁଥିବା ଅପରାଧ, ଦୁଷ୍କର୍ମ ଘଟଣା ହେଉ କି ଭରତପୁର ଥାନାରେ ନିର୍ଯାତନା ଘଟଣା, ଆଇନଶୃଙ୍ଖଳାକୁ ନେଇ ସିଧାସଳଖ ଟାର୍ଗେଟ୍ କରୁଛନ୍ତି ବିରୋଧୀ । ସେହିପରି ମହାନଦୀ ଜଳ ବିବାଦ ପ୍ରସଙ୍ଗକୁ ନେଇ ବି ଟ୍ରିପଲ ଇଞ୍ଜିନ ସରକାରକୁ ଆଙ୍ଗୁଳି ଦେଖାଉଛନ୍ତି । ୬ଟି ଗୁରୁତ୍ବପୂର୍ଣ୍ଣ ବିଭାଗ ମୋହନ ମାଝୀଙ୍କ ପାଖରେ ଥିବା ବେଳେ ଏହାକୁ ସମ୍ଭାଳିବା ଚ୍ୟାଲେଞ୍ଜ ହୋଇପାରେ ।