ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଉପସ୍ଥିତିରେ ସ୍ୱପ୍ନେଶ୍ୱର ପ୍ରିମିୟର ଲିଗ ଉଦଯାପିତ

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ମହିଶରା ପଞ୍ଚାୟତର ବାଟିଯୋଡା ଗ୍ରାମରେ ସ୍ୱପ୍ନେଶ୍ୱର କ୍ଲବର ଆନୁକୂଲ୍ୟରେ ଆୟୋଜିତ ସ୍ୱପ୍ନେଶ୍ୱର ପ୍ରିମିୟର ଲିଗ କ୍ରିକେଟ ପ୍ରତିଯୋଗିତା ଭବ୍ୟ ଭାବେ ଉଦ୍ୟାପିତ ହୋଇଯାଇଛି। ଫାଇନାଲ ମ୍ୟାଚ୍ରେ କେସିସି ସୁଙ୍ଗୁଡା ଓ ଏମସିସି ଜାରକା ମଧ୍ୟରେ ଦ୍ୱନ୍ଦ୍ୱ ହୋଇଥିଲା।
ଟସ୍ ଜିତି ସୁଙ୍ଗୁଡା ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୮ ଓଭରରେ ୬ ୱିକେଟ ହରାଇ ୨୪୮ ରନର ବିଶାଳ ସ୍କୋର ଖଡ଼ା କରିଥିଲା। ଦଳ ପକ୍ଷରୁ ଉତ୍କଳ କେଶରୀ ରାଉତ ୩୧ ବଲରେ ବିସ୍ଫୋରକ ୭୬ ରନ କରି ଦର୍ଶକଙ୍କୁ ମନୋରଞ୍ଜନ କରିଥିଲେ।
ଲକ୍ଷ୍ୟ ଧାଉଥିବା ଜାରକା ଦଳ ୧୮ ଓଭର ଖେଳି ୭ ୱିକେଟ ବିନିମୟରେ ୧୯୭ ରନ ସଂଗ୍ରହ କରି ପରାଜୟ ସ୍ୱୀକାର କରିଥିଲା। ଜାରକା ପକ୍ଷରୁ ସତ୍ୟସାଗର ୫୫ ରନ କରିଥିଲେ ମଧ୍ୟ ଦଳକୁ ବିଜୟ ମିଳିପାରିନଥିଲା। ସୁଙ୍ଗୁଡା ଦଳର ବୋଲର ଦେବାଶିଷ ମହାରଣା ୫ ୱିକେଟ ହାସଲ କରି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ।
ଫାଇନାଲ ମ୍ୟାଚ୍ରେ ଅସାଧାରଣ ପ୍ରଦର୍ଶନ ପାଇଁ ଉତ୍କଳ କେଶରୀ ରାଉତଙ୍କୁ ‘ମ୍ୟାନ୍ ଅଫ୍ ଦ ମ୍ୟାଚ୍’ ଘୋଷଣା କରାଯାଇଥିଲା। ସମଗ୍ର ଟୁର୍ଣ୍ଣାମେଣ୍ଟରେ ସ୍ଥିର ଓ ଶ୍ରେଷ୍ଠ ଖେଳ ପାଇଁ ବଦ୍ରୀଙ୍କୁ ‘ମ୍ୟାନ୍ ଅଫ୍ ଦ ଟୁର୍ଣ୍ଣାମେଣ୍ଟ’ ସମ୍ମାନ ମିଳିଥିଲା।
ଉଦ୍ୟାପନୀ ମ୍ୟାଚ୍ରେ ମୁଖ୍ୟ ଅତିଥି ଭାବେ ହିମାଂଶୁ ଶେଖର ସାହୁ ଉପସ୍ଥିତ ରହି ବିଜୟୀ ସୁଙ୍ଗୁଡା ଦଳକୁ ଟ୍ରଫି ସହ ୩୦ ହଜାର ଟଙ୍କା ନଗଦ ପୁରସ୍କାର ପ୍ରଦାନ କରିଥିଲେ। ସେହିପରି ଉପବିଜେତା ଜାରକା ଦଳକୁ ଟ୍ରଫି ସହ ୨୦ ହଜାର ଟଙ୍କା ପୁରସ୍କାର ରାଶି ଦିଆଯାଇଥିଲା।
ଏହି ଅବସରରେ ପ୍ରଭାରୀ ପ୍ରଦୀପ ପରିଡ଼ା, ମଣ୍ଡଳ ସଭାପତି ଶ୍ରୀବତ୍ସ ଧୀର, ସମିତି ସଭ୍ୟ ବିକାଶ ଖଟୁଆ, ପବିତ୍ର ବେହେରା, ସରପଞ୍ଚ ସଫଳା ବେହେରା, ସାବିତ୍ରୀ ସାହୁ, ଆଶାତରୁ ନାୟକ, କାମାକ୍ଷା ପ୍ରସାଦ ନାୟକ, ସୁରେଶ କୁମାର ନାୟକ ପ୍ରମୁଖ ମଞ୍ଚାସିନ ଅତିଥିମାନେ ନିଜ ମତାମତ ବ୍ୟକ୍ତ କରିଥିଲେ। ଟୁର୍ଣ୍ଣାମେଣ୍ଟ ସଫଳ ପରିଚାଳନାରେ ବାବୁଲି ଜେନା, ଟୁବୁଲା ରାଉତ, କେଦାର ନାୟକଙ୍କ ସହ ସ୍ୱପ୍ନେଶ୍ୱର କ୍ଲବର ସମସ୍ତ ସଦସ୍ୟ ମହତ୍ୱପୂର୍ଣ୍ଣ ସହଯୋଗ କରିଥିଲେ।




