ପ୍ରେମ ପାଇଁ ଜୀବନ ହାରିଲେ ମହିଳା, ପ୍ରେମିକଙ୍କ ବିରୋଧରେ ଅଭିଯୋଗ ଆଣିଲେ ପରିବାର ଲୋକ

ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ମୁମ୍ବାଇରେ ସପ୍ଟୱେୟାର ଇଞ୍ଜିନିୟର ଭାବେ କାମ କରୁଥିବା ଜଣେ ୨୪ ବର୍ଷୀୟା ମହିଳା ତାଙ୍କ ପ୍ରେମିକ ତାଙ୍କୁ ବିବାହ କରିବାକୁ ମନା କରିବାରୁ ଜୀବନ ହାରିଥିବା ଅଭିଯୋଗ ହୋଇଛି । ଏହି ଘଟଣା ପରେ ମହିଳାଙ୍କ ପରିବାର ତାଙ୍କ ପ୍ରେମିକଙ୍କ ଘର ବାହାରେ ମୃତଦେହ ରଖି ପ୍ରତିବାଦ କରିଥିଲେ । ଏହି ଘଟଣା ପାଇଁ ତାଙ୍କୁ ଦାୟୀ କରିଥିଲେ ଏବଂ ଅନ୍ତିମ ସଂସ୍କାର ପୂର୍ବରୁ ତାଙ୍କର ଉପସ୍ଥିତି ଦାବି କରିଥିଲେ । ପୋଲିସ ଏବଂ ଗାଁ ଲୋକଙ୍କ ବୁଝାସୁଝା ପରେ ମହିଳାଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା। ପୋଲିସ ଘଟଣାର ତଦନ୍ତ କରୁଛି । ମୃତ ମହିଳା ଜଣକ ୨୪ ବର୍ଷୀୟ ଆଡ୍ଡାଗାଲ୍ଲା କୀର୍ତି ବୋଲି ଚିହ୍ନଟ କରାଯାଇଛି । ସେ ଟାଙ୍ଗୁଟୁରୁ ଜିଲ୍ଲାର ପ୍ରଥିପାଡୁ ମଣ୍ଡଳର କୋଣ୍ଡ୍ରୁପାଡୁ ଗ୍ରାମର ବାସିନ୍ଦା ।
ସୂଚନାନୁଯାୟୀ, ମୃତ ମହିଳା ଜଣକ ମୁମ୍ବାଇରେ ଜଣେ ସଫ୍ଟୱେର୍ ଇଞ୍ଜିନିୟର ଥିଲେ । ପ୍ରାୟ ୮ ବର୍ଷ ପୂର୍ବରୁ ସେ ସୋସିଆଲ ମିଡିଆରେ ପ୍ରକାଶମ ଜିଲ୍ଲାର ଟାଙ୍ଗୁଟୁରୁ ମଣ୍ଡଳର ପଦାନୁର ଗ୍ରାମର ବାସିନ୍ଦା ପାପିନେନି ସାଇଙ୍କୁ ଭେଟିଥିଲେ। ସେମାନଙ୍କର ବନ୍ଧୁତା ପ୍ରେମ ସମ୍ପର୍କରେ ପରିଣତ ହୋଇଥିଲା । ସାଇ ବର୍ତ୍ତମାନ କାତାରରେ ଜଣେ ସଫ୍ଟୱେର୍ ଇଞ୍ଜିନିୟର ଭାବରେ କାର୍ଯ୍ୟ କରୁଛନ୍ତି । ଅନ୍ୟ ସହରରେ ରହିବା ସତ୍ତ୍ୱେ ମଧ୍ୟ ଦୁହେଁ ସବୁବେଳେ ପରସ୍ପର ସହିତ କଣ୍ଟାକ୍ଟରେ ରହିଥିଲେ ଏବଂ ବେଳେବେଳେ ଭେଟ ହେଉଥିଲେ ।
ଏହାରି ମଧ୍ୟରେ ସାଇଙ୍କ ପରିବାର ତାଙ୍କ ବିବାହ ଅନ୍ୟ ଜଣେ ମହିଳାଙ୍କ ସହ ସ୍ଥିର କରିଥିଲେ । ଏହା ଜାଣିବା ପରେ, କୀର୍ତ୍ତି ସାଇଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ । କିନ୍ତୁ ସେ ମନା କରିଦେଇଥିବା ଜଣାପଡ଼ିଛି । ପରବର୍ତ୍ତୀ ସମୟରେ ଓଙ୍ଗୋଲରେ ଦୁଇ ପରିବାର ମଧ୍ୟରେ ଆଲୋଚନା ହୋଇଥିଲା ହେଲେ କୌଣସି ସମାଧାନ ହୋଇପାରିନଥିଲା । ତାଙ୍କ ପ୍ରସ୍ତାବକୁ ମନା କରି ମହିଳାଙ୍କୁ ମୁମ୍ବାଇ ପଠାଇଦେଇଥିଲେ । ଏହି ଘଟଣା ପରେ ମହିଳାଙ୍କର ମନ ଭାଙ୍ଗି ପଡ଼ିଥିଲା । କୀର୍ତ୍ତି ୧୪ ଜୁଲାଇରେ ତାଙ୍କ ପିତାମାତାଙ୍କୁ ଏକ କନଫରେନ୍ସ କଲ କରିଥିଲେ, ଯେଉଁଥିରେ ସାଇ ମଧ୍ୟ ଥିଲେ । ଫୋନ୍ କଲ୍ ବେଳେ କୀର୍ତ୍ତି ତାଙ୍କ ମୃତ୍ୟୁ ପାଇଁ ସାଇଙ୍କୁ ଦାୟୀ କରିଥିଲେ ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ପରେ ମୁମ୍ବାଇରେ ତାଙ୍କ ହଷ୍ଟେଲ ରୁମରେ ଜୀବନ ହାରିଛନ୍ତି । ସାଇ ତାଙ୍କୁ ଅନେକ ଥର ଫୋନ୍ କରିଥିଲେ । କିନ୍ତୁ ଫୋନ୍ ନ ଉଠାଇବାରୁ ହଷ୍ଟେଲ ପରିଚାଳନାକୁ ସୂଚନା ଦିଆଯାଇଥିଲା । କବାଟ ଖୋଲିବା ପରେ କୀର୍ତ୍ତି ମୃତ ଅବସ୍ଥାରେ ପଡ଼ିଥିଲେ । ସୂଚନା ପାଇବା ପରେ ମୁମ୍ବାଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ପୋଷ୍ଟମର୍ଟମ ପରେ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଥିଲା ।
ଅନ୍ୟପଟେ ସାଇ କାତାରା ଛାଡି ପଳାଇ ଯାଇଥିବା ସୂଚନା ମିଳିଛି । ପରିବାର ଲୋକେ ମହିଳାଙ୍କ ପ୍ରେମିକ ଘର ବାହାରେ ମୃତଦେହ ରଖି ପ୍ରତିବାଦ କରିଥିଲେ । ଏଥିସହ ସଂସ୍କାର ସମୟରେ ଶ୍ମଶାନରେ ରହି ତାଙ୍କ ଝିଅର ଶେଷ ଇଚ୍ଛା ପୂରଣ କରିବାକୁ ଦାବି କରିଥିଲେ । ସୂଚନା ପାଇବା ପରେ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷର ପରିବାର ସଦସ୍ୟ ଏବଂ ଗାଁର ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ସହିତ କଥାବାର୍ତ୍ତା କରିଥିଲା । ସାଇ କାତାରରୁ ଫେରିବାକୁ ସମୟ ଲାଗିବ, ତେଣୁ ପ୍ରେମିକଙ୍କ ପରିବାର ଶେଷକୃତ୍ୟରେ ସାମିଲ ରହିବେ ବୋଲି ସାଇଙ୍କ ପରିବାର କହିଥିଲେ । ବ୍ୟାପକ ଆଲୋଚନା ପରେ ମୃତକଙ୍କ ପରିବାର ରାଜି ହୋଇଥିଲେ ଏବଂ ପଦାନୁରରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ।




